ନିର୍ବାଚନ ପରିଚାଳନା ପାଇଁ ମୁତୟନ ହେବେ ୧୬୫ କମ୍ପାନୀ ସିଏପିଏଫ୍

1 min read

ଭୁବନେଶ୍ୱର : ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍ ମୁତୟନ ହେବେ । ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖିବାକୁ ବ୍ଯାପକ ବ୍ଯବସ୍ଥା କରାଯାଉଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମୋଟ ୧୩୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଥିଲେ । ଏହା ମଧ୍ୟରୁ ୯୬ କମ୍ପାନୀ ଇନସିଟୁ ମୁତୟନ ହୋଇଥିବାବେଳେ ୩୭ କମ୍ପାନୀ ଡାଇରେକ୍ଟ ଇଣ୍ଡକସନ୍ ଭାବରେ ମୁତୟନ ହୋଇଥିଲେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ୧୬୫ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ଏହା ମଧ୍ୟରୁ ୮୩ କମ୍ପାନୀ ଇନ୍ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକ୍ଟ ଇଣ୍ଡକ୍ସନ୍ ମାଧ୍ଯମରେ ମୁତୟନ ହେବେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍ ଜବାନ୍ ମୁତୟନ ହୋଇସାରିଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ଫ୍ଲାଗ୍ମାର୍ଚ୍ଚ ଆଦି କରୁଛନ୍ତି । ମତଦାତାମାନେ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ଯେଭଳି ଭାବେ ଉତ୍ସାହର ସହିତ ମତଦାନ କରିବେ ତାକୁ ଧ୍ୟାନରେ ରଖି ଏସବୁ କାର୍ଯ୍ୟ କରାଯାଇଛି । ମଇ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ମଇ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍ ଜବାନ୍ କାର୍ଯ୍ୟରେ ଯୋଗଦେବେ । ଏହା ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ଏହା ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍ର ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଶାନ୍ତଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।