ରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ । ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏନେଇ ଆଜି ପୋଲିସ ଏଡିଜି ଅମିତାଭ୍ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜନଗହଳି ନିୟନ୍ତ୍ରଣ ସହ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଘୋଷଯାତ୍ରା ସମୟରେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ ଏବଂ ବ୍ରହ୍ମଗିରିରୁ ପୁରୀ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କ ଯେଭଳି କୌଣସି ଅସୁବିଧା ନହେବ । ଏବଂ କେଉଁ ସ୍ଥାନରେ‌ ନିଜ ନିଜ ଗାଡ଼ି ପାର୍କିଂ କରିପାରିବେ ସେନେଇ ଏକ ଭିଡିଓ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି କହିଛନ୍ତି ଏଡିଜି । ତେବେ କେବଳ ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏଥିସହ ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ଵ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏଡିଜି । ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଆଡିସନାଲ୍ ସିପି ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ବର ସିଂଙ୍କ ସହ ଜଗତସିଂହପୁର ଓ ପୁରୀ ଏସପି ଉପସ୍ଥିତ ଥିଲେ ।