ଭିଜିଲାନ୍ସ ଜାଲରେ ଫସିଲେ ୨ ଦୁର୍ନୀତିଖୋର ବାବୁ

ଭୁବନେଶ୍ୱର: ବଲାଙ୍ଗୀରରେ ପୁଣି ଭିଜିଲାନ୍ସର ରେଡ୍ ହୋଇଛି । ଦୁର୍ନୀତିଖୋର ବାବୁଙ୍କୁ ସାବାଡ୍ କରିବା ଲାଗି ଆକ୍ସନ ମୋଡକୁ ଆସିଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପୁଇଁତଲା ବ୍ଲକ ଭାରପ୍ରାପ୍ତ ଜିପିଓଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ।

ସମ୍ପୃକ୍ତ ଅଧିକାରୀଙ୍କ ନାମ ବିହାରୀ ଲାଲ ବାରିକ ବୋଲି ଜଣାପଡିଛି । ଜିପିଓଙ୍କ ଶାନ୍ତିପଡ଼ା ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି ।

ସେହିପରି ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଜଣେ ବ୍ୟାଙ୍କ ମ୍ୟାନେଜର । ଏହି ବ୍ୟାଙ୍କ ମ୍ୟାନେଜର ଜଣକ ହେଉଛନ୍ତି ସାଗର ରଣା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ ।

ବଲାଙ୍ଗୀର ବିଡିସିସି ବ୍ୟାଙ୍କର ଲାଠୋର ଶାଖା ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ସାଗର ରଣାଙ୍କ ଟିଟିଲାଗଡ଼ ସାହାରା ଅଫିସ ନିକଟରେ ଥିବା ଘର ଓ ଲାଠୋର ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ବେଳେ ନଗଦ ଟଙ୍କା ଓ ସୁନାଗହଣା ଜବତ ହୋଇଛି ।

ଉଲ୍ଲେଖଯୋଗ୍ୟ, ଦୁର୍ନୀତିକୁ ସମୂଳେ ନାଶ କରିବା ଲାଗି ଗତକାଲି ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କ ସୂଚନାନୁଯାୟୀ ସେ ଆଇଏଏସ ହୁଅନ୍ତୁ ଅବା ତଳିଆ କର୍ମଚାରୀ  । ଦୁର୍ନୀତି ଓ ଅପରାଗ ଅଭିଯୋଗରେ ସରକାର ବର୍ଷ ଶେଷରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଆଉ ୬ ବାବୁ ଓ କର୍ମଚାରୀଙ୍କୁ ବିଦା କରିଛନ୍ତି। ଏହାକୁ ମିଶାଇ ଏବେ ସୁଦ୍ଧା ୯୭ ଜଣଙ୍କୁ ସିଆରଏସ ଦିଆଯାଇଥିବାବେଳେ ୬୦ ଜଣଙ୍କ ପେନସନ ରଦ୍ଦ କରାଗଲାଣି  । ଏପରିକି ଚଳିତ ବର୍ଷ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ସୁପାରିସ କରିଛନ୍ତି ରାଜ୍ୟ ସରକାର ।

ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ, ରାୟଗଡ଼ା ଡିଏଫଓ ହୁଅନ୍ତୁ ଅବା କେନ୍ଦୁଝର ଆରଡବ୍ଲୁ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଦୁର୍ନୀତିରେ ଲିପ୍ତ ଥିବାରୁ ରାଜ୍ୟ ସରକାରଙ୍କ ପ୍ରଶାସନିକ କ୍ଷେତ୍ରର ଏହି ବଡ଼ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି  ।  ରାଜ୍ୟ ସରକାର ଆହୁରି ମଧ୍ୟ କହିଛନ୍ତି ଯେ ସେ ଆଇଏଏସ କି ଆଇପିଏସ ହୁଅନ୍ତୁ ଅବା ତଳିଆ କର୍ମଚାରୀ କାହାକୁ ମାଫ ନାହିଁ। ଏପରିକି ମନ୍ତ୍ରୀ ବିଧାୟକଙ୍କୁ ମଧ୍ୟ କ୍ଷମା ନାହିଁ। ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଓ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏପରି ବଡ଼ ଅଭିଯାନ ଆରମ୍ଭ କରିଥିବା ସୂଚନା ମିଳିଛି।

Leave a Reply