ତେଜସ୍ୱୀଙ୍କ ପ୍ରତିଶ୍ରୁତିକୁ ପୂରା କରିବା ନେଇ ନୀତୀଶଙ୍କ ଘୋଷଣା; ମିଳିବ ୧୦ଲକ୍ଷ ସରକାରୀ ଚାକିରି

1 min read

ପାଟଣା: ସ୍ୱାଧୀନତା ଦିବସ ପାଳନ ଅବସରରେ ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ଘୋଷଣା ‘୧୦ ଲକ୍ଷ ଚାକିରି’କୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାର ଆହୁରି ୧୦ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି ନେଇ ସ୍ୱାଧୀନତା ଦିବସ ପାଳନ ଅବସରରେ ଘୋଷଣା କରିଛନ୍ତି ।

ସୋମବାର ପାଟଣାର ଗନ୍ଧୀ ମୈଦାନରେ ରାଜ୍ୟସ୍ତରୀୟ ସ୍ୱାଧୀନତାର ଦିବସ ପାଳିତ ହୋଇଥିଲା । ଏହି ଅବସରରେ ରାଜ୍ୟର ୧୦ ଲକ୍ଷ ସରକାରୀ ଚାକିରି ଆଶାୟୀ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ନୀତୀଶ କୁମାର ଘୋଷଣା କରିଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାରେ  ଆଉ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହି ଲକ୍ଷ୍ୟକୁ ୨୦ ଲକ୍ଷରେ ପହଞ୍ଚାଯିବ ବୋଲି ସେ କହିଛନ୍ତି । ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଉପଯୁକ୍ତ ଜବାବ ଦେଇଛନ୍ତି, ଯେଉଁମାନେ ଗତ ଏକ ସପ୍ତାହ ଧରି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣାକୁ ନେଇ ଜବାବ ମାଗିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକାଠି ହୋଇଛୁ ଏବଂ ଚାହୁଁଛୁ ଯେ ରାଜ୍ୟର ଯୁବକଯୁବତୀମାନଙ୍କୁ ସର୍ବାଧିକ ସରକାରୀ ଚାକିରି ଦିଆଯାଉ। ଆମେ ଏବେ ଏକାଠି ହେବା ସହ ଆମର ଚିନ୍ତାଧାରା ମଧ୍ୟ ବର୍ତ୍ତମାନ ଗୋଟିଏ। ନୀତୀଶଙ୍କ ଏଭଳି ଘୋଷଣା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ସମ୍ମାନିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ୭୬ତମ ସ୍ୱାଧୀନତା ଦିବସ ଅବସରରେ ପାଟଣାର ଗାନ୍ଧୀ ମୈଦାନରୁ ଐତିହାସିକ ଘୋଷଣା: ୧୦ଲକ୍ଷ ଚାକିରି ପରେ ଅନ୍ୟାନ୍ୟ ବ୍ୟବସ୍ଥାରେ ୧୦ ଲକ୍ଷ ଅତିରିକ୍ତ ଚାକିରି ମଧ୍ୟ ଦିଆଯିବ।

ଏଥିସହିତ ପଢ଼ନ୍ତୁ: ସ୍ୱାଧୀନ ଭାରତର ୭୫ ବର୍ଷ: କଳାଧଳାରୁ ରଙ୍ଗୀନ ଯୁଗ ଆଉ ବିକାଶଶୀଳ ରାଷ୍ଟ୍ର ହେବାର ଯାତ୍ରା