ରାଜ୍ୟରେ ଅଚଳ ଅବସ୍ଥାରେ ଥିବା ୨୨ଟି ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରାଯିବ

1 min read

ଭୁବନେଶ୍ବରରେ ହେବ ଅତ୍ୟାଧୁନିକ ଫ୍ଲାଇଟ୍ ମରାମତି କେନ୍ଦ୍ର ଓ ଫ୍ଲାଇଟ ଟ୍ରେନିଂ ସେଣ୍ଟର। ପୁରୀ ଜଗନ୍ନାଥ ବିମାନବନ୍ଦର ପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶୃତି। ରାଜ୍ୟରେ ଅଚଳ ଅବସ୍ଥାରେ ଥିବା ୨୨ଟି ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରାଯିବ। ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଏଭଳି ଆଲୋଚନା ହୋଇଛି। ଏୟାର ଓ୍ବାର୍କସ ସହିତ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମଆରଓ ସୁବିଧା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଢେଙ୍କାନାଳର ବିରାଶୋଳରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର। ପୁରୀର ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏୟାରପୋର୍ଟରେ ଫ୍ଲାଇଟ ଟ୍ରେନିଂ, ୟୁଏଭି ପ୍ରଶିକ୍ଷଣ ଓ ଏୟାରସ୍ପୋର୍ଟ୍ସ ପାଇଁ ବ୍ୟବସ୍ଥା କରାଯିବା ସହ ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।

ଉଡ଼ାନ ଯୋଜନାରେ ଭୁବନେଶ୍ବର-ଦୁବାଇ ଫ୍ଲାଇଟ ଚଳାଚଳ ଜାରି ରଖିବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ନବୀନ ସରକାରଙ୍କ ଅମଳରେ ସିଧାସଳଖ ବିମାନ ଚଳାଚଳ କରିଥିବା ବେଳେ ଆର୍ଥିକ ସଙ୍କଟ ଯୋଗୁଁ ଏବେ ଏହା ସଙ୍କଟରେ ଅଛି। ରାଜ୍ୟରେ ଯେତେ ସବୁ ବ୍ୟବହାର ହେଉନଥିବା ବିମାନ ପଥ ବା ଏୟାରଷ୍ଟ୍ରିପ ଅଛି, ସେଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରିବେ। ଏଭଳି ୧୪ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ ୧୫ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କଟକ-ଭୁବନେଶ୍ବର-ପୁରୀ-କୋଣାର୍କରେ ହେଲି-ଟ୍ୟାକ୍ସି ସର୍ଭିସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN ଯୋଜନା ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଆଦିବାସୀ ଝିଅଙ୍କୁ ପାଇଲଟ ହେବା ପାଇଁ ପ୍ରଶିକ୍ଷଣ ଦିଆଯିବ। ଭୁବନେଶ୍ବରରେ ଆୟୋଜିତ ସମ୍ମିଳନୀରେ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର, ଆଣ୍ଡାମାନ ନିକୋବର ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଉଭୟ ମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।