ଠିକ୍ ସମୟରେ ପହଞ୍ଚିଲା ନାହିଁ ଅମ୍ଲଜାନ, ଚାଲିଗଲା ୨୪ଜୀବନ

ଦେଶରେ ଥମୁନି ମୃତ୍ୟୁର ତାଣ୍ଡବ । ଅକ୍ସିଜେନ ଅଭାବରୁ ଚାଲିଯାଉଛି ହଜାର ହଜାର ଜୀବନ । ପ୍ରତ୍ୟେକ ଦିନ କରୋନା ରୋଗୀଙ୍କର ମୃତ୍ୟୁ ଏହିଭଳି ଅସହାୟ ଅବସ୍ଥାରେ ଘଟୁଛି । ଦିଲ୍ଲୀ ଓ ଉତ୍ତରପ୍ରଦେଶର ଅକ୍ସିଜେନ ଅଭାବର ଭୟାବହ ଦୃଶ୍ୟ ଦେଖିସାରିବା ପରେ ଆଜି କର୍ଣ୍ଣାଟକର ସ୍ଥିତି ମଧ୍ୟ ବେହାଲ । କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୪ଜଣ କୋଭିଡ୍ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତକାଲି ମଧ୍ୟରାତ୍ରୀରେ ଘଟିଛି ଏହିଭଳି ଦୁଃଖଦ ଘଟଣା । ଦୁର୍ଘଟଣା ଘଟିବା ପରେ ମହୀଶୁରରୁ ଚାମରାଜନଗରକୁ ଦେଢଶହ ଅକ୍ସିଜେନ ସିଲିଣ୍ଡର ପଠାଯାଇଥିଲା ।

ଦିଲ୍ଲୀର ବତ୍ରା ହସ୍ପିଟାଲରେ ଅକ୍ସିଜେନ ଡେରିରେ ପହଂଚିବାରୁ ଯେଉଁ ଘଟଣା ଘଟିଥିଲା । ଠିକ୍ ସେହିଭଳି କର୍ଣ୍ଣାଟକର ଚାମରାଜନଗରରେ ଘଟିଛି ।  ସୂଚନା ଅନୁସାରେ ଜୀବନ ଯାଇଥିବା ଅଧିକାଂଶ ଲୋକ ଭେଣ୍ଟିଲେଟରରେ ରହିଥିଲେ । ଅକ୍ସିଜେନ ସପ୍ଲାଏ ଶେଷ ହେବା ପରେ ରୋଗୀମାନେ ନିଶ୍ୱାସ ନେବାପାଇଁ ଅନେକ କଷ୍ଟପାଇ ମୃତ୍ୟୁବରଣ କରିଛନ୍ତି । ଅମ୍ଲଜାନ ବେଲ୍ଲାରୀରୁ ଆସିବାର ଥିଲା ।  କିନ୍ତୁ ଅକ୍ସିଜେନ ଠିକ୍ ସମୟରେ ପହଂଚି ପାରିନଥିଲା ।

ବର୍ତ୍ତମାନ କର୍ଣ୍ଣାଟକରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷରୁ ଅଧିକ ।  ରବିବାର ଦିନ ୩୭ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ତାସହ ୨୧୭ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଆଉ ଏସବୁ ଭିତରେ ରୋଗୀମାନଙ୍କୁ ଅମ୍ଲଜାନ ପାଇଁ ସଂଘର୍ଷ କରିବାକୁ ପଡୁଛି ।  ଅନେକ ସପ୍ତାହଧରି ଏହିଭଳି ସ୍ଥିତି କଣ୍ଣାଟକର ବିଭିନ୍ନ ହସ୍ପିଟାଲରେ ଦେଖିବାକୁ ମିଳୁଛି ।

ଦେଶର ଅନ୍ୟକିଛି ରାଜ୍ୟରେ ମଧ୍ୟ ଏହିଭଳି ସଙ୍ଗିନ ସ୍ଥିତି ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କରୋନା ସଂଙ୍କଟ ମଧ୍ୟରେ ଦେଶରେ ଅମ୍ଲଜାନ ଏବଂ ଔଷଧ ଅଭାବ ସଂମ୍ପର୍କରେ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଯେଉଁଥିରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଦେଶର ସ୍ୱାସ୍ଥବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଆଲୋଚନା  ସହିତ  ମେଡିକାଲ ଛାତ୍ରଛାତ୍ରୀଙ୍କୁ କୋଭିଡ ଡିଉଟିରେ ନିୟୋଜିତ କରିବାକୁ ଯୋଜନା ହୋଇଛି । ତେବେ ସରକାରଙ୍କ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ଅନେକ ରୋଗୀଙ୍କର ମୃତ୍ୟୁ ହେଇଚାଲିଛି । ରୋଗୀଙ୍କର ଆତ୍ମୀୟସ୍ୱଜନଙ୍କର ଦୁଃଖ ଓ ଯନ୍ତ୍ରଣାର କଷ୍ଟ ମଧ୍ୟ ସମୟ ହିସାବରେ ବଢିବଢି ଚାଲିଛି । ଅପେକ୍ଷା ସେହିଦିନକୁ ଯେବେ ସାରା ଭାରତରେ ସଠିକ୍ ସମୟରେ ଅକ୍ସିଜେନ ଓ ବେଡ୍ ଉପଲବ୍ଧ ହୋଇପାରିବ ।

Leave a Reply