ବିହାରରେ ମୃତ୍ୟୁର ହୋଲି, ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ

25 People Died Due To Drinking Spurious Liquor On Holi In Bihar

ପାଟଣା: ଫିକା ହେଲା ହୋଲି । ରଙ୍ଗର ପର୍ବରେ ଚାଲିଗଲା ଜୀବନ । ବିହାରର ତିନୋଟି ଜିଲ୍ଲାରେ ହୋଲି ଉତ୍ସବ ବେଳେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ମଦ ପିଇ ମୃତ୍ୟୁ ପରେ ସବୁ ଆନନ୍ଦ ଉଲ୍ଲାସ ଫିକା ପଡ଼ି ଯାଇଛି । ବିଷାକ୍ତ ମଦ ପିଇ ଅନେକ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

25 People Died Due To Drinking Spurious Liquor On Holi In Bihar

୨୫ ଜଣଙ୍କ ମୃତ୍ୟୁ ମଧ୍ୟରୁ କେବଳ ବାଙ୍କା ଜିଲ୍ଲାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମଦ ପିଇ ଗୁରୁତର ଆହତ ହୋଇଥିବା ଅନେକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଚୋରାରେ ମିଳୁଥିବା ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେଉଥିବା କଥାକୁ ବାଙ୍କା ଏସପି ସ୍ୱୀକାର କରି ନାହାନ୍ତି । ସମସ୍ତ ମୃତଦେହର ବ୍ୟବଚ୍ଛେଦ ଚାଲିଛି । ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।

ଏଥିସହ ପଢ଼ନ୍ତୁ: ବିଷାକ୍ତ ମଦ ପିଇ ୨ ଦିନରେ ୨୫ ଜଣଙ୍କ ମୃତ୍ୟୁ

ଏହା ପୂର୍ବରୁ ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ବିହାରରେ ମଦମୃତ୍ୟୁ ହୋଇଥିଲା । ପ୍ରାୟ ୨ ଦିନରେ ୨୫ ଜଣଙ୍କ ମୃତ୍ୟୁ ପରେ ନୀତିଶ ସରକାର ବିରୋଧୀଙ୍କ ଟାର୍ଗେଟକୁ ଆସିଥିଲା । ଏବେ ପୁଣି ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ହେବା ସରକାର ଓ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇ ଦେଇଛି ।