ଛତିଶଗଡ଼ରେ ବଡ଼ ଧରଣର ମାଓ ଏନକାଉଣ୍ଟର, ୨୯ ନକ୍ସଲ ନିପାତ

1 min read

ଛତିଶଗଡ଼: ଛତିଶଗଡ଼ରେ ମାଓ ଦମନ ଅପରେସନକୁ ବଡ଼ ସଫଳତା। କାଙ୍କେର ଜିଲ୍ଲା ଛୋଟାବେଥିଆରେ ଗତକାଲିର ଅପରେସନରେ ନିହତ ହୋଇଛନ୍ତି ୨୯ ମାଓବାଦୀ। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ଟପ୍ ମାଓ ନେତା ଶଙ୍କର। ଦୁଇ ମାଓନେତ୍ରୀ ଲଳିତା ଓ ମାଧବୀକୁ ମଧ୍ୟ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ମାଓନେତା ଶଙ୍କର ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ସରକାର। ଏହି ଅପରେସନ ପରେ ମାଓ ସଂଗଠନକୁ ବଡ଼ ଧକ୍କା ଲାଗିଛି। ନିହତ ଅନ୍ୟ ମାଓବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଆଉ ଦିନକ ପରେ ଛତିଶଗଡ଼ରେ ସାଧାରଣ ନିର୍ବାଚନର ଭୋଟ ହେବାକୁ ଥିବାବେଳେ ପୋଲିସକୁ ମିଳିଛି ଏ ସଫଳତା। ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୭ଟି ଏକେ-୪୭ ବନ୍ଧୁକ, ଏଲଏମଜି, କାରବାଇନ, ଥ୍ରୀନଟ୍ ଥ୍ରୀ ବନ୍ଧୁକ ଜବତ ହୋଇଛି। DRG ଏବଂ BSFର ମିଳିତ ଅପରେସନରେ ଏହି ସଫଳତା ମିଳିଛି।

ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ଛୋଟେବେଟିଆ ଅନ୍ତର୍ଗତ ବିନାଗୁଣ୍ଡା ଏବଂ କୋରନାର ମଝିରେ ଥିବା ହାପାଟୋଲା ଜଙ୍ଗଲରେ ଘଟିଥିଲା ଏ ସଂଘର୍ଷ।  ଏହି ସର୍ଚ୍ଚ ଅପରେସନରେ ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ହେଲିକପଟର ନିୟୋଜିତ ହୋଇଥିଲା। ବିଗତ ୧୦ ବର୍ଷ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଏହା ସବୁଠାରୁ ବଡ଼ ଅପରେସନ। ଏହା ପୂର୍ବରୁ ୨୦୧୬ରେ ଗ୍ରେହାଉଣ୍ଡ କମାଣ୍ଡୋର ଅପରେସନରେ ୩୦ ନକ୍ସଲ ନିହତ ହୋଇଥିଲେ। ୨୦୨୧ରେ ମାଓନେତା ମିଲିନ୍ଦ ସହ ୨୫ ମାଓବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ। ଚଳିତ ବର୍ଷ ବସ୍ତର ଅଂଚଳରେ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ୭୯ ମାଓବାଦୀ ନିପାତ ହେଲେଣି। କାଙ୍କେର ଜିଲ୍ଲାରେ ଆସନ୍ତା ୨୬ ତାରିଖରେ ଭୋଟଗ୍ରହଣ ହେବ। ବସ୍ତରରେ ଆସନ୍ତା ୧୯ ତାରିଖରେ ନିଆଯିବ ଭୋଟ।