spot_img

Latest Posts

ମେ’ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ ହେବ ୨ୟ ବ୍ରାହ୍ମଣୀ ସେତୁ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ପୂର୍ବାହ୍ନରେ ସେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ବିତୀୟ ସେତୁ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ବିତୀୟ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜନସାଧାରଣଙ୍କ ସୁବିଧା ପାଇଁ ସେତୁର ଗୋଟିଏ ପାର୍ଶ୍ବ ଚକିତ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ । ଜୁନ୍ ଶେଷ ସୁଦ୍ଧା ଏହି ସେତୁକୁ ୬ ଲେନ୍ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।’

ସେ ଆହୁରି କହିଥିଲେ, ‘ସେତୁ ସମ୍ପୂର୍ଣ୍ଣ ହେବା ପରେ ରାଉରକେଲା ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇଯିବ । ଭାରିଯାନଗୁଡ଼ିକ ସହର ଭିତରକୁ ନଆସି ବାଇପାସ୍ ରାସ୍ତା ଦେଇ ଯାତାୟତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଫଳରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।’

ସୂଚନାଯୋଗ୍ୟ, ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ବକପ୍ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଉନ୍ନୟନମୂଳକ କାମ ସହିତ ସୌନ୍ଦର୍ଯ୍ୟକରଣ କରାଯାଉଛି। ମୁଖ୍ୟ ଶାସନ ସଚିବ ଏସବୁ ଉନ୍ନୟନ କାମ ବୁଲି ଦେଖିଥିଲା । ମୁଖ୍ୟତଃ ସେ କୋଏଲନଗରସ୍ଥିତ ବୈକୁଣ୍ଠ ଘାଟ ନିକଟରେ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କ, ଟ୍ରାଫିକ ଗେଟ୍ ନିକଟରେ ଚାଲିଥିବା ପାର୍କିଂ ସ୍ଥଳ ଓ ପାନପୋଷଠାରେ ବହୁତଳ ମାର୍କେଟ କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । କାମର ଗୁଣାତ୍ମକ ମାନ ବଜାୟ ରଖି ଏହିସବୁ ପ୍ରକଳ୍ପ ନିର୍ମାଣ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଉରକେଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଓ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ । କୋଇଡ଼ା ବ୍ଲକର ଟେନସା ହିଲ ଟପ୍ ନେଚର କ୍ୟାମ୍ପକୁ ଯାଇ ପର୍ଯ୍ୟଟକଙ୍କୁ ଆତିଥ୍ୟ ପ୍ରଦାନ ପାଇଁ କାର୍ଯ୍ୟରତ ସ୍ଥାନୀୟ ବନ ସୁରକ୍ଷା ସମିତି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହାସହ ନେଚର କ୍ୟାମ୍ପ ପାଇଁ ସ୍ଥାପିତ ବିଭିନ୍ନ କଟେଜର ରକ୍ଷଣାବେକ୍ଷଣ କାମର ତନଖି କରିଥିଲେ । ପର୍ଯ୍ୟଟକଙ୍କ ନିମନ୍ତେ ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଲହୁଣୀପଡ଼ା ବ୍ଲକର ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗସ୍ତ କରି ଏହାର ସଠିକ୍ କର୍ଯ୍ୟକରିତା ଅନୁଧ୍ୟାନ କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଦେବଗଡ଼ ଡିଏଫଓ ଧନାଜୀ ଆର୍ ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss