ଆଜିଠୁ ମୁମ୍ବାଇ ଟେଷ୍ଟ; ବିରାଟ ଫେରିବା ପରେ ଚୂଡାନ୍ତ ଏକାଦଶରେ ହୋଇପାରେ ପରିବର୍ତ୍ତନ

1 min read

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବ ଦ୍ୱିତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ । ପ୍ରଥମ ଟେଷ୍ଟରେ କଡା ଟକ୍କର ଦେଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିପାରିନଥିଲା ଭାରତ । ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଥିଲା । ତେବେ ପ୍ରଥମ ଟେଷ୍ଟ ଡ୍ର’ ହେବା ପରେ ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କରିବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ବିଶ୍ରାମ ପରେ ଦ୍ୱିତୀୟ ଟେଷ୍ଟରେ ଅଧିନାୟକତ୍ୱ କରିବେ ବିରାଟ କୋହଲି ।

ବିରାଟ କୋହଲି ଦଳକୁ ଫେରିବା ପରେ ଚୁଡାନ୍ତ ଏକାଦଶରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମ ଟେଷ୍ଟରେ କୋହଲିଙ୍କ ସ୍ଥାନରେ ଦଳରେ ଡେବ୍ୟୁ କରିଥିଲେ ଶ୍ରେୟସ ଆୟର । ତେବେ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଆୟର । ପ୍ରଥମ ଇନିଂସରେ ଶତକ ହାସଲ କରିଥିବାବେଳେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ ଆସିବା ପରେ କେଉଁ ଖେଳାଳି ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିବେ ତାହାକୁ ନେଇ ଚିନ୍ତାରେ ଟିମ୍ ମ୍ୟାନେଜମେଣ୍ଟ । ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବା ପରେ ଓପନର ମୟଙ୍କ ଅଗ୍ରଓ୍ୱାଲଙ୍କୁ ବାହାରେ ବସିବାକୁ ପଡ଼ିବ । ତେବେ ମୟଙ୍କ ସ୍ଥାନରେ କିଏ ଶୁଭମନ ଗିଲଙ୍କ ସହ ପାଳି ଆରମ୍ଭ କରିବେ ତାହା ଏବେ ବଡ଼ ପ୍ରଶ୍ନ । ଗିଲଙ୍କ ସହ ଚେତେଶ୍ୱର ପୂଜାରା କିମ୍ବା ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଏସ୍ ଭରତ ପାଳି ଆରମ୍ଭ କରିପାରନ୍ତି ।

ସେହିପରି ଭାବରେ ଆଜିଙ୍କେ ରାହାଣେଙ୍କ ଖରାପ ଫର୍ମ ମଧ୍ୟ ଚିନ୍ତାର କାରଣ । ଗତ ୧୨ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଆସୁଛନ୍ତି ରାହାଣେ । ରାହାଣେଙ୍କ ସହ ଚେତେଶ୍ୱର ପୂଜାରାଙ୍କ ଫର୍ମ ମଧ୍ୟ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତାର କାରଣ । କାହିଁକି ନା ବିଦେଶ ସହ ଭାରତରେ ମଧ୍ୟ ଲଗାତର ଭାବରେ ନିରାଶ କରିଛନ୍ତି ପୂଜାରା । ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଟେଷ୍ଟରେ ଉଭୟ ଖେଳାଳିଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ଅନ୍ୟପକ୍ଷରେ ଇଶାନ୍ତ ଶର୍ମାଙ୍କୁ ନେଇ ମଧ୍ୟ ଦଳ ମଧ୍ୟରେ ଦ୍ୱନ୍ଦ ରହିଛି । ଖରାପ ପ୍ରଦର୍ଶନ ପାଇଁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ତାଙ୍କୁ ଦଳର ଚୂଡାନ୍ତ ଏକାଦଶରୁ ବାହାରେ ରଖାଯାଇପାରେ । ଇଶାନ୍ତଙ୍କ ସ୍ଥାନରେ ଦଳରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ ।

 

Leave a Reply