୩ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଓଢ଼ଣୀରେ ବାନ୍ଧି ଫିଙ୍ଗି ଦେଲେ ଦୁର୍ବୃତ୍ତ, ୨ ମୃତ, ଜଣେ ଗୁରୁତର

ଉନ୍ନାଓ: ଉତ୍ତରପ୍ରଦେଶ ଉନ୍ନାଓରେ ପୁଣି ଲଜ୍ଜା । ୩ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଓଢ଼ଣୀରେ ବାନ୍ଧି ଫିଙ୍ଗି ଦେଇଛନ୍ତି । ବିଲ ମଝିରୁ ସନ୍ଦିଗ୍ଧ ଅବସ୍ଥାରେ ୩ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । କାନପୁରର ଏକ ହସ୍ପିଟାଲରେ ନାବାଳିକାଙ୍କ ଚିକିତ୍ସା ଚାଲିଛି ।

ନାବାଳିକାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନେବାକୁ ଦାବି କରିଛି ଭୀମ୍‌ ଆର୍ମି ଓ କଂଗ୍ରେସ୍ । ପୁରା ଘଟଣାର ଏକମାତ୍ର ସାକ୍ଷୀ ଥିବା ଗୁରୁତର ନାବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା କରାଯିବା ଆବଶ୍ୟକ ରହିଛି । ହାଥରସ୍‌ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟଶୈଳୀ ସାରାଦେଶ ଦେଖି ସାରିଥିବାରୁ ଗୁରୁତର ନାବାଳିକାଙ୍କୁ ସୁରକ୍ଷା ଦେବାକୁ ଦାବି ହୋଇଛି ।

ଏହାଛଡ଼ା ମୃତ ଦୁଇ ନାବାଳିକାଙ୍କ ପାଇଁ ନ୍ୟାୟ ଦାବି କରିଛି କଂଗ୍ରେସ । ନାରୀ ସମାଜ ପାଇଁ ଭାଜପା ସରକାର କାଳ ସାଜିଛି ବୋଲି କହିଛି ସମାଜବାଦୀ ପାର୍ଟି । ସମ୍ପୃକ୍ତ ୩ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇ ନ ଥିବା ପୋଲିସ କହୁଥିବା ବେଳେ, ଦୁଷ୍କର୍ମ ପରେ ସେମାନଙ୍କୁ ମୁର୍ମୁଷୁ ଅବସ୍ଥାରେ ଫୋପାଡ଼ି ଦିଆଯାଇଥିବା ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି ।

Leave a Reply