ଲଖନପୁର ଡଙ୍ଗା ବୁଡି ଘଟଣାରେ ମିଳିଲା ଆଉ ତିନି ଜଣଙ୍କ ମୃତଦେହ, ଚାଲିଛି ସର୍ଚ୍ଚ ଅପରେସନ

1 min read

ଝାରସୁଗୁଡା: ଝାରସୁଗୁଡା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ଉଦ୍ଧାର ହୋଇଛି ମୋଟ ୭ ଜଣଙ୍କ ମୃତଦେହ। ଆଉ ଜଣଙ୍କ ଲାଗି ଜାରି ରହିଛି ସର୍ଚ୍ଚ ଅପରେସନ। ଯେଉଁ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି ସେମାନେ ହେଲେ ଛତିଶଗଡ଼ ଖର୍ସିଆର ନବୀନ ରାଠିଆ ଓ ପିକେଶ୍ବର ରାଠିଆ। ଆଜି ସକାଳ ୫ଟାରୁ ମହାନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେ ହେଉଛନ୍ତି ଛତିଶଗଡ଼ ଖରସିଆଁର ରାଧିକା ନିଶାଦ  ।

ଘଟଣାରେ ଡଙ୍ଗା ଚାଳକ ଓ ଅନ୍ଯ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଦୁଇ ଜଣକୁ ପ୍ରଥମେ ରେଙ୍ଗାଲି ଥାନାରେ ରଖାଯାଇଥିବା ବେଳେ ଏବେ ଝାରସୁଗୁଡ଼ା ଠାରେ ଅଟକ ରଖାଯାଇଥିବା ସୂଚନା ମିଳିଛି। ଡଙ୍ଗାରେ ୫୪ ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ଶରଧା ଡଙ୍ଗା ଘାଟକୁ ଆସୁଥିଲେ l ସେମାନଙ୍କ ମଧ୍ୟରେ ୪୫ ଜଣ ଛତିଶଗଡ ଅଂଚଳର ଥିଲେ l ସେମାନେ ବରଗଡ଼ ପଥରାସେନୀକୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବା ବେଳେ ଶରଧା ଘାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଡଙ୍ଗା l

ଡ଼ଙ୍ଗାରେ ଥିବା ବରଗଡ ଓ ଝାରସୁଗୁଡା ଅଂଚଳର ୯ ଜଣ ତଥା ଛତିଶଗଡ଼ର ୩୭ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ। ଛତିଶଗଡର ଯାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛତିଶଗଡ ପ୍ରଶାସନ ନିଜ ଜିଲ୍ଲାକୁ ନେଇଥିବା ଜଣାପଡ଼ିଛି l ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ଏହି ଘଟଣାରେ ଛତିଶଗଡ଼ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।