ବିଧାନସଭା ବଜେଟ ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବ । ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜି ଇନଚାର୍ଜ ଅରୁଣ ଷଡଙ୍ଗୀ ।

ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ଏସ୍‌ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ । ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି । ଆନ୍ଦୋଳନକାରୀଙ୍କ ଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ନଜର ରଖାଯିବ ।

ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ର ମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି ।‌ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟରଙ୍କ ସହ ୧୦୦ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ନିୟୋଜିତ ହେବେ । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ । ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ମୁତୟନ ହେବେ । ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି ।