ପାନ ଦୋକାନୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୩ ଦୁର୍ବୃତ୍ତ

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାନ ଦୋକାନୀକୁ ହାଣିଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନନ୍ତେଇ ଛକରେ ଦୋକାନୀ ସୁଶାନ୍ତ ରେଡ୍ଡୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୩ ଦୁର୍ବୃତ୍ତ । ସୁଶାନ୍ତଙ୍କ ଗୋଡ଼ ସହ ମୁଣ୍ଡ ଓ ବେକ ମୁହଁରେ ଗଭୀର କ୍ଷତ ରହିଛି । ରକ୍ତାକ୍ତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିବା ସହ ଦିଗପହଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ସୁଶାନ୍ତ ଗତକାଲି ବିଳମ୍ବିତ ରାତିରେ ଅନନ୍ତେଇ ଛକରେ ଠିଆ ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ୩ଦିନ ପୂର୍ବେ କୌଣସି କାରଣକୁ ନେଇ ସୁଶାନ୍ତ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ସୁଶାନ୍ତଙ୍କୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।