ପୁରୀରେ ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ: ଦୁଇଜଣ ଗିରଫ, ଅନ୍ୟ ଅପରାଧୀଙ୍କୁ ଖୋଜୁଛି ପୋଲିସ୍

ପୁରୀ: ପୁରୀରେ ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ । ଘରକୁ ଫେରୁଥିବାବେଳେ ଛଡାଇନେଲେ ସୁନାଚେନ, ପର୍ସ । ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅପରାଧୀଙ୍କ ଖୋଜୁଛି ପୋଲିସ୍ । ରାଜ୍ୟରେ ଖୁଲମଖୁଲ୍ଲା ବୁଲୁଛନ୍ତି ଅପରାଧୀ । ନା ଅଛି ପୋଲିସକୁ ଡର ନା ଆଇନ ପ୍ରତି ଭୃକ୍ଷେପ । ବଳଙ୍ଗା ଘଟଣା ନଥମୁଣୁ ପୁରୀ ସଦରଥାନା ଅଞ୍ଚଳରେ ୩ ଜଣ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଶ୍ରୀମନ୍ଦିର ଦର୍ଶନ ସାରି ସମଙ୍ଗ ପାର୍କିଂ ରାସ୍ତା ଦେଇ ନିଜ ଗାଁ କଣ୍ଠପୁରକୁ ଫେରୁଥିଲେ ୩ ଭଉଣୀ । ଏହି ସମୟରେ ସମଙ୍ଗ ପାର୍କିଂ ନିକଟରେ ୬ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମଦୁଆ ଯୁବକ ମାନେ ଯୁବତୀଙ୍କ ପର୍ସ ଓ ସୁନାଚେନ ଛଡାଇ ନେଇଛନ୍ତି । ଏନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

ଯୁବତୀମାନେ ଚିତ୍କାର କରିବା ପରେ ସ୍ଥାନୀୟ ବାସିନ୍ଦା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିଲେ । ତେବେ ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି । ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ପୁରୀ ସଦର ଥାନା ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ତେବେ ଏପରି ଘଟଣା ପ୍ରଥମ କରି ଘଟିଥିବାବେଳେ ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ସାଧାରଣରେ ଦାବି ହୋଇଛି  । ପୁରୀରେ ଏପରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି ।