ପୁରୀ ସେବାୟତଙ୍କୁ ହତ୍ୟା ପାଇଁ ୩୦ ଲକ୍ଷର ସୁପାରୀ ଦେଇଥିଲେ ବାପ-ପୁଅ

ପୁରୀ: ପୁରୀରେ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିବାକୁ ଦିଆଯାଇଥିଲା ସୁପାରୀ । ମୁଖ୍ୟ ଷଡଯନ୍ତ୍ରକାରୀ ହେଲେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ । କାଳୁ ପାଣିଗ୍ରାହୀଙ୍କୁ କୃଷ୍ଣଚନ୍ଦ୍ରଙ୍କ ହତ୍ୟା ପାଇଁ ଏମାନେ ଦେଇଥିଲେ ୩୦ ଲକ୍ଷ ଟଙ୍କାର ସୁପାରୀ । ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଏସପି କନୱର ବିଶାଲ ସିଂ ।

ମାମଲାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ରିମାଣ୍ଡ ଆବେଦନ କରାଯିବ । ଏହାପରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଯିବ । ଗିରଫ ୬ ଜଣଙ୍କ ମଧ୍ୟରେ ବାପ, ପୁଅ କାଳିଆ ସିଂହାରୀ ଏବଂ ଦୋଳଗୋବିନ୍ଦ ସିଂହାରୀ ଅଛନ୍ତି । ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ବାବା ମହାପାତ୍ର, ସନ୍ଦୀପ ଜେନା, କାଳୁ, ଓ ମୁନ୍ନା ପାତ୍ର ।

କାଳିଆ ଏବଂ ଦୋଳଗୋବିନ୍ଦ ଷଡ଼ଯନ୍ତ୍ରକୁ ସଫଳ କରିବାକୁ କାଳୁକୁ ସୁପାରୀ ଦେଇଥିଲେ । ପୂରା ପ୍ଲାନ୍ ସହ ଲୋକ ଯୋଗାଡ଼ କରିଥିଲା କାଳୁ । ଫାୟାରିଂ କରିବାକୁ ବନ୍ଧୁକ ଯୋଗାଇଥିଲା ମୁନ୍ନା । ଅନ୍ୟତମ ଅଭିଯୁକ୍ତ ସନ୍ଦୀପ ଜେନା ହତ୍ୟା ପରେ ଅଭିଯୁକ୍ତଙ୍କୁ ଖସାଇବାକୁ କରିଥିଲା ପ୍ଲାନିଂ । କାଳୁଠାରୁ ଏଯାଏଁ ୧ ଲକ୍ଷ ୫୦ ହଜାର ଟଙ୍କା ସହ ମୋବାଇଲ ଜବତ କରିଛି ପୋଲିସ ।

ପୂର୍ବରୁ ବି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ହେଲେ ସେଥିରେ ବିଫଳ ହୋଇଥିଲେ ଅଭିଯୁକ୍ତ । ଶେଷରେ ୧୬ ତାରିଖ ଦିନ ଗୁଳି କରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିଲେ । ଘଟଣାରେ ଆଉ ୩ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି ।