ଖରିଫ ଧାନ କିଣା ପଞ୍ଜିକରଣରୁ ୩୦ ପ୍ରତିଶତ ଚାଷୀ ବଞ୍ଚିତ ଅଭିଯୋଗ, ପ୍ରତିବାଦରେ କୃଷକ ମଜଦୂର ମହାସଙ୍ଘର ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଚାଷୀ ପଞ୍ଜୀକରଣରେ ଆରମ୍ଭରୁ ଗୋଳିଆ ସ୍ଥିତି ସୃଷ୍ଟି କରାଗଲା । ଫଳରେ ଖରିଫ ଧାନ କିଣା ପଞ୍ଜୀକରଣରୁ ବଞ୍ଚିତ ହେଲେ ୩୦ ପ୍ରତିଶତ ଚାଷୀ । ଏ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ଓ କୃଷକ ସଙ୍ଗଠନ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଆଳୁ ଓ ବାଦାମ ବିହନ ଯୋଗାଣ ତଥା ବିଭିନ୍ନ ବାଟରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ବେଳେ ଏବେ ପଞ୍ଜୀକରଣରେ ବି ଚକ୍ରାନ୍ତ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଏବେ ବଡ଼ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ରାଜ୍ୟର ଚାଷୀ ମଜଦୁର ସଂଘ ।
ବଢି ଚାଲିଛି ଚାଷୀଙ୍କୁ ଶୋଷଣ । ଗୋଟିଏ ପଟେ ସାର ଅଭାବ । ଏବେ ଖରିଫ ଧାନକିଣା ପାଇଁ ପଞ୍ଜୀକରଣରେ ଅସ୍ତବ୍ୟସ୍ତ ଚାଷୀ । ଏନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ପୂର୍ବବର୍ଷଠାରୁ ଅଧିକ ଚାଷୀ ପଞ୍ଜୀକରଣ କରିବା କଥାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟର ଅର୍ଦ୍ଧାଧିକ ଭାଗଚାଷୀ ହୋଇଥିବା ବେଳେ ସେମାନଙ୍କୁ ପଞ୍ଜୀକରଣରେ ସାମିଲ କରାଯାଉ ନଥିବା ଅଭିଯୋଗ ହୋଇଛି । ଜାଣିଶୁଣି ପଞ୍ଜୀକରଣ ପ୍ରକ୍ରିୟାକୁ ଜଟିଳ କରାଯାଇଛି । ଯାହା ଫଳରେ ଗୋଟିଏ ପରିବାରରେ ଏକାଧିକ ସଦସ୍ୟ ପଞ୍ଜୀକୃତ କରିବାକୁ ବାଧ୍ୟ ହୋଇଛନ୍ତି । ଯାହାଯୋଗୁଁ ଚାଷୀ ସଂଖ୍ୟା ବଢିଛି । ଯିଏ ଚାଷ କରୁଛି ସେ ହିଁ ପଞ୍ଜୀକରଣ କରିପାରିବ ବୋଲି ନିୟମ ହୋଇଛି । ଏବେ ସ୍ଥିତି ଏମିତି ହୋଇଛି, ଗୋଟିଏ ଚାଷୀ ପରିବାରର ଭାଇମାନେ ଅଲଗା ଅଲଗା ଆଫିଡେଭିଟ କରି ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ ପ୍ରକ୍ରିୟାକୁ ଜଟିଳ କରାଯାଇଥିବାରୁ ୩୦ ପ୍ରତିଶତ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି । ଯେତିକି ଧାନ ଉତ୍ପାଦନ ହେଉଛି ତାହା ମଧ୍ୟ ସରକାର ନେଉ ନାହାନ୍ତି । ଗୋଟିଏ ଚାଷୀ ୧୩ କୁଇଣ୍ଟାଲରୁ ଅଧିକ ଧାନ ବିକିପାରୁ ନାହିଁ । ଯାହା ଫଳରେ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଏଭଳି ଢାଞ୍ଚାରେ ଶୋଷଣ କରିବା ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ ।
ଧାନ କିଣାରେ ଇନପୁଟ ସବସିଡି ପ୍ରଦାନ ନେଇ ପ୍ରଚାର ହେଉଛି । ହେଲେ ପ୍ରକୃତରେ ଚାଷୀ ଇନପୁଟ ସହାୟତା ପାଉ ନଥିବା ଅଭିଯୋଗ ହୋଇଛି । ଦାବି ହୋଇଛି ଯାହା ଧାନ ଅମଳ ହେଉଛି ସବୁ କିଣାଯାଉ ଓ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଉ । ଏହାସହ ପଞ୍ଜୀକରଣ ସମୟ ସୀମା ବଢାଇବାକୁ ଦାବି ହୋଇଛି । ଖରାପ ବିହନ ଚାଷୀଙ୍କୁ ହତାଶ କରିଥିବାବେଳେ ପଞ୍ଜୀକରଣ ସମସ୍ୟା ଚାଷୀଙ୍କ ଅଣ୍ଟା ଦୋହଲାଇ ଦେଇଛି । ପ୍ରତିବାଦରେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି କୃଷକ ମଜଦୂର ମହାସଙ୍ଘ । ରାଜ୍ୟରେ ଚାଷୀଙ୍କ ସମସ୍ୟା ସମାଧାନ ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ କିଛି କରାଯାଉ ନଥିବା ଅଭିଯୋଗ ହୋଇଛି ।