କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର, ରେଳରୋକ କରିବେ 32ଟି ଚାଷୀ ସଂଗଠନ

1 min read

ନନ୍ଦିଘୋଷ ବ୍ୟୁରୋ: ଗହମର କ୍ରୟ ମୂଲ୍ୟ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଆଜି ଦେଶର ବିଭିନ୍ନ ସ୍ଥାନରେ ରେଳରୋକ କରିବେ 32ଟି ଚାଷୀ ସଂଗଠନ । ଚାରିଘଣ୍ଟା ଲାଗି ରେଳ ଅବରୋଧ ଆନ୍ଦୋଳନ ଲାଗି ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଯଦି ଏହି ନିଷ୍ପତ୍ତିର ପ୍ରତ୍ୟାହାର ନହୁଏ ତେବେ ଆଗକୁ ଆନ୍ଦୋଳନକୁ ତୀବ୍ର କରିବାକୁ ଦିଆଯାଇଛି ଧମକ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଅନୁସାରେ ହିଁ ଗହମ କ୍ରୟ କରାଯାଉ ।

ଏହାଠାରୁ କମ୍ ମୂଲ୍ୟରେ ଗହମ କ୍ରୟ କରାଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଧମକ ଦେଇଛନ୍ତି ଚାଷୀ ସଂଗଠନ । ବିକେୟୁ ସାଧାରଣ ସମ୍ପାଦକ ଜଗମୋହନ ସିଂ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ଯୋଗୁ ଗହମର ଗୁଣବତ୍ତା ପ୍ରଭାବିତ ହେଉଛି । ଏକ୍ଷେତ୍ରରେ ଚାଷୀଙ୍ କିଛି କରିବାର ନାହିଁ । ଗତ କିଛି ଦିନ ତଳେ ଗହମର ମାନହ୍ରାସକୁ କାରଣ ଦର୍ଶାଇ ଗହମର କ୍ରୟମୂଲ୍ୟକୁ ହ୍ରାସ କରିବା ଲାଗି ଘୋଷଣା କରିଥିଲେ କେନ୍ଦ୍ର ସରକାର ।

ଏହି ନିଷ୍ପତ୍ତି ଦ୍ବାରା ଗହମର କ୍ବିଣ୍ଟାଲ ପିଛା ଦର 31 ଟଙ୍କା 78 ପଇସା ହ୍ରାସ ପାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରିଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ବର୍ଷା ତଥା ଅନ୍ୟ ପ୍ରତିକୂଳ ପାଗ ଯୋଗୁ ଗହମ ଚାଷ ପ୍ରଭାବିତ ହୋଇ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସରକାରଙ୍କ ଏହି ଦର ହ୍ରାସ ନିଷ୍ପତ୍ତି ବେଡି ଉପରେ କୋରଡା ମାଡ଼ ବୋଲି ଅଭିଯୋଗ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।