ମସଜିଦରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩୩ ଜୀବନ

କାବୁଲ: ସମୂହ ନମାଜ ପାଠ ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ନର୍ଦ୍ଦନ ଆଫଗାନିସ୍ତାନର ଗୋଟିଏ ମସଜିଦରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗତକାଲି ପ୍ରାର୍ଥନା ବେଳେ ବିସ୍ଫୋରଣ ହେବାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି।ଏହାର ଦିନକ ପୂର୍ବରୁ ମଧ୍ୟ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାପାଇଁ ଆତଙ୍କୀ ସଂଗଠନ ଆଇଏସଆଇଏସ୍‌ ନିଜକୁ ଦାୟୀ କରିଛି। ଏହି ହମଲା ପାଇଁ ଆଇଏସଆଇଏସ୍‌ ବିବୃତି ଜାରି କରିବାର ଦିନକ ପରେ ହିଁ ପୁଣି ଏକ ମସଜିଦରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ଶୁକ୍ରବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଥିଲେ ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ । ସେ କହିଛନ୍ତି, “କୁଣ୍ଡୁଜରେ ଥିବା ଗୋଟିଏ ମସଜିଦରେ ଆତଙ୍କାବାଦୀମାନେ ଆକ୍ରମଣ କରିଛନ୍ତି। ସମୂହ ନମାଜ ପାଠ ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ଏହି ଆକ୍ରମଣ ହୋଇଛି । ଏହି ଘଟଣାରେ ଛୋଟ ପିଲାଙ୍କ ସହ ମୋଟ ୩୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୩ ଜଣ ଆହତ ହୋଇଛନ୍ତି। ଆମେ ଏହି ଘଟଣାକୁ ନିନ୍ଦା କରୁଛୁ ଓ ମୃତାହତଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛୁ।”