ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହେଲା ୩୪୯ଟି ନୂଆ ୧୦୮ ଆମ୍ବୁଲାନ୍ସ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ । ସୃଷ୍ଟି ହେଲା ଆଉ ଏକ ନୂଆ ଅଧ୍ୟ୍ୟାୟ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଯୋଡି ହେଲା ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ  ସାମିଲ କଲେ ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏସବୁ ଆମ୍ବୁଲାନ୍ସକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ । ପ୍ରତିଟି ଜୀବନ ମୂଲ୍ୟବାନ ନୀତିରେ ଆମର ଉଦ୍ୟମ ଜାରି ରହିବ ।

ନୂଆ ଆମ୍ବୁଲାନ୍ସ ସେବାରେ ଲାଗିବା ପରେ ରୋଗୀଙ୍କୁ ଡାକ୍ତରଖାନା ଆଣିବା ସମ୍ର ବି କମିଯିବ । ଆଗରୁ ଜଣେ ରୋଗୀକୁ ଡାକ୍ତରଖାନା ଆଣିବାକୁ ୩୦ ମିନିଟ ଲାଗୁଥିଲା । ସ୍ବାସ୍ଥ୍ୟସେବାରେ ଏସବୁ ନୁଆ ଆମ୍ବୁଲାନ୍ସ ସାମିଲ ହେବା ପରେ ଏବେ ଏହି ସମୟ କମି ୨୦ ମିନିଟ୍‌ ହୋଇଯିବ । ଅର୍ଥାତ, ରୋଗୀଙ୍କୁ ୨୦ ମିନିଟ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଯାଇ ପାରିବ । ଦେଶର ସର୍ବଶ୍ରେଷ୍ଠ ରେସପନ୍ସ ଟାଇମ ହେବ ।

ସୂଚନାଯୋଗ୍ୟ, ଲୋକାର୍ପିତ ଆମ୍ବୁଲାନ୍ସ ମଧ୍ୟରୁ ୨୭୯ଟି ସେବାରେ ସାମିଲ କରାଯାଇଛି । ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଓ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ । ଏଥିପାଇଁ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି ।

ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ଏହି ଆମ୍ବୁଲାନ୍ସ ସ୍ବାସ୍ଥ୍ୟସେବାରେ ସାମିଲ ହୋଇଛି ।   ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଲୋକଙ୍କୁ ଯୋଗାଇବେ ସେବା । ନୂଆ ଆମ୍ବୁଲାନ୍ସ ସାମିଲ ହେବା ପରେ ରାଜ୍ୟରେ ଆମ୍ବୁଲାନ୍ସ  ସଂଖ୍ୟା ୧୩୬୬ରେ ପହଞ୍ଚିଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ୧୦୮ ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ସ୍ବାସ୍ଥ୍ୟ ସେବା ଆହୁରି ତ୍ଵରିତ ଓ ସୁବିଧାଜନକ ହେବ ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକୁ ଯୋଗା ଯାଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରରେ ବ୍ୟବହାର ହେବ । ଏହାସହ ଜିଲ୍ଲାସ୍ତରରେ ଅନ୍ୟ ରୋଗୀଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବ ।

ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ 5T ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କିଛିଦିନ ପୂର୍ବରୁ ଏହି ଆମ୍ବୁଲାନ୍ସ ଗୁଡିକର ଡ୍ରାଏରନ କରାଯାଇଥିଲା । ସପ୍ତମ ବାଟାଲିୟନରୁ ବାହାରି ଜାଭିୟର ଛକ ଦେଇ ହାତୀଆଶୁଣି ବସ୍ତିରୋଡ ପରେ ଉତ୍କଳ ହସ୍ପିଟାଲ ଠାରୁ ୟୁଟର୍ଣ୍ଣ ଦେଇ କଳିଙ୍ଗ ହସ୍ପିଟାଲ ଦେଇ ସପ୍ତମ ବାଟାଲିୟନ ମଧ୍ୟରେ ଏହି ଆମ୍ବୁଲାନ୍ସର ଡ୍ରାଏ ରନ ହୋଇଥିଲା ।