ଲିମିଟ୍ କ୍ରସ୍ କରି ଛାତି ଥରାଉଥିଲା ‘ନୋ ଲିମିଟ’ । ନିଝୁମ୍ ରାତିରେ ନିଶାଚୁର ହେଉଥିଲେ ଯୁବକ ଯୁବତୀ । ବିନା ବାର୍ ଲାଇସେନ୍ସରେ ବେଧଡକ ଚାଲିଥିଲା ମଦ ବେପାର । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ଶୁଣୁନଥିଲା ପୋଲିସ୍ । ଗୋଆ ହରର୍ ପରେ ଥରହର ହେଲା ଭୁବନେଶ୍ୱର । ଅଗ୍ନିକାଣ୍ଡରେ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ “ନୋ ଲିମିଟ ଏୟାର” ଦିନ ପ୍ରାୟ ୮ ଟା ୩୦ ରେ ଜଳୁଥିବା ଦେଖି ଅଗ୍ନିଶମ ବିଭାଗର ୫ଟି ଟିମ ପହଁଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଖବର ମୁତାବକ ବିନା ଅବକାରୀ ଲାଇସେନ୍ସରେ ଚାଲିଥିଲା ମଦ ର ଆସର । ନିଶା ଚଢ଼ିବା ପରେ ରୁଫ ଟଫରେ ମିଳୁଥିଲା ହୁକା । ଡିଜେ ତାଳେ ତାଳେ ନିୟମ କାନୁନର ଧଜିଆ ଉଡାଉଥିଲେ ନୋ ଲିମିଟ କର୍ତ୍ତୃପକ୍ଷ । ନା ଥିଲା ପୋଲିସକୁ ଭୟ, ନା ଥିଲା ଅବକାରୀ ବିଭାଗକୁ ଖାତିର । ରେସ୍ତୋରାଁ ନାଁରେ ରାତି ତମାମ ଚାଲୁଥିଲା ତାମସା । ଏଭଳି ଅଘଟଣ ଘଟିବା ପରେ କଣ କହୁଛନ୍ତି କର୍ତ୍ତୃପକ୍ଷ ଶୁଣନ୍ତୁ ।
ଲାଇସେନ୍ସ ନଥିଲା କିନ୍ତୁ ପଡିଥିଲା ପୁଳା ପୁଳା ମଦ ବୋତଲ । ଖବର ମୁତାବକ ରାଜମହଲରେ ଥିବା ‘ନୋ ଲିମିଟ’ ବ୍ରାଞ୍ଚରୁ ସେଠାକୁ ସପ୍ଲାଏ ହଉଥିଲା ମଦ। ବ୍ୟାଚେଲର୍ ପାର୍ଟି, ବାର୍ଥ ଡେ’ ପାର୍ଟି ହେଲେ ନିଶା ଖାଇ ନାକେଦମ କରୁଥିଲେ ନିଶାଡୀ । କିଛିମାସ ତଳେ ମଧ୍ୟ ଠିକ ଏହି ସ୍ଥାନରେ ବିଳମ୍ବିତ ରାତିରେ ଯୁବକଙ୍କୁ ହୋଇଥିଲା ଛୁରାମାଡ଼ । ସବୁ ଦେଖି ମଧ୍ୟ ନିଦାବିଷ୍ଣୁ ପାଲଟିଥିଲା ପୋଲିସ । ସବୁ ଜାଣି ମଧ୍ୟ କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲା ଅବକାରୀ ବିଭାଗ । ଆଉ ଘଟଣା ଘଟିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ । ଆଗକୁ ବଡ଼ଦିନ, ନୂଆବର୍ଷ ଥିବାବେଳେ ମଦ ମାଫିଆଙ୍କୁ ଧରାଯିବ ବୋଲି ଚେତାବନୀ ଦେଇଛନ୍ତି ସୁପରିନଟେଣ୍ଡେଣ୍ଟ । ନର୍ଥ ଗୋଆରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନି ଘଟିବା ପରେ ଦୁଇଦିନ ତଳେ ସହରରେ ଥିବା ବାର, କ୍ଲବ, ରେସ୍ତୋରାଁ ର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଥିଲେ ଅଗ୍ନିଶମ ଡିଜି । କିନ୍ତୁ ଆଜିର ଏହି ଅଘଟଣ ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି ।

