ପିପିପି ମୋଡରେ ନୁହଁ ଋଣ ଆଣି ନିର୍ମାଣ ହେବ ବ୍ରହ୍ମପୁର ଗିରି ମାର୍କେଟ କମ୍ପ୍ଲେକ୍ସ । ବିଇଏମସି ପକ୍ଷରୁ ମିଳିଛି ମଞ୍ଜୁରୀ । ପ୍ରଥମେ ବ୍ୟବସାୟୀଙ୍କ ଥଇଥାନ, ପରେ ନିର୍ମାଣ ଦାବି । ୨୦୨୨ ମସିହାରେ ଏହି କମ୍ପ୍ଲେକ୍ସ ବିପଦପୂର୍ଣ୍ଣ ଦର୍ଶାଇ ବିଇଏମସି ଏହାକୁ ଭାଙ୍ଗିଥିଲା । ସେହି ସମୟରେ ବିଇଏମସି ଗିରି ମାର୍କେଟ କମ୍ପ୍ଲେକ୍ସକୁ ପିପିପି ମୋଡରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ବର୍ତ୍ତମାନ ପିପିପି ମୋଡରେ ନୁହେଁ ବରଂ ରାଜ୍ୟ ସରକାର ଅଧିନରେ ରହିଥିବା ଓଡ଼ିଶା ଅର୍ବାନ ଇନଫ୍ରାଷ୍ଟ୍ରକଚର ଡ଼େଭଲପମେଣ୍ଟ ଫଣ୍ଡ ତଥା ଓୟୁଆଇଡ଼ିଏଫ ସଂସ୍ଥାରୁ ୩୮ କୋଟି ଟଙ୍କା ଋଣ ଆଣି କମ୍ପ୍ଲେକ୍ସ କୋଠା ନିର୍ମାଣ କରିବା ନିମନ୍ତେ ବିଇଏମସି ନିଷ୍ପତ୍ତି ନେଇଛି। ଏହି ପ୍ରସ୍ତାବକୁ ବିଇଏମସି କମିଶନର ଓ ମେୟର କାଉନସିଲରେ ରଖିଥିଲେ।
କାଉନସିଲର ସମସ୍ତ ସଦସ୍ୟାମନେ ଏହି ପ୍ରସ୍ତାବରେ ମଞ୍ଜୁର ମାରିଥିଲେ । ଯାହାଫଳରେ ଆଉ ଦୁଇ ସପ୍ତାହ ମଧ୍ୟରେ ଗିରି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନେଇ ଡିପିଆର ପ୍ରସ୍ତୁତ କରାଯିବ । ଡିପିଆରକୁ ରାଜ୍ୟ ସରକାରଙ୍କୁ ପଠାଯିବା ସହ ସମ୍ପୃକ୍ତ ଓୟୁଆଇଡ଼ିଏଫକୁ ମଧ୍ୟ ପ୍ରଦାନ କରାଯିବ । ତେବେ ପିପିପି ମୋଡରେ ଗିରି ମାର୍କେଟ କମ୍ପ୍ଲେକ୍ସ କରାଗଲେ ମାର୍କେଟର ଜାଗା ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ସେ କାମ କରିବ। ଯାହା ଫଳରେ ଅନେକ କ୍ଷତି ମଧ୍ୟ ବିଇଏମସି ସହିବାକୁ ପଡ଼ିବ। କିନ୍ତୁ ଋଣ ନେଇ କାମ କରାଗଲେ ବିଇଏମସିକୁ କ୍ଷତି ସହିବାକୁ ପଡ଼ିବ ନାହିଁ । ଜମି ବିଇଏମସି ପାଖରେ ରହିବା ସହ ନିର୍ମାଣ ପରେ ଦୋକାନ ଗୃହରୁ ଯାହା ଟିକସ ଆଦାୟ ହେବ ସେଥିରେ ଋଣ ପରିଶୋଧ କରାଯିବ। ନୂତନ ଗିରି ମାର୍କେଟ କମ୍ପ୍ଲେକ୍ସରେ ମୋଟ ୨୯୨ଟି ଦୋକାନ ଗୃହ ନିର୍ମାଣ କରାଯିବାକୁ ଥିବା ବେଳେ ପୂର୍ବରୁ ରହିଥିବା ଦୋକାନୀଙ୍କୁ ପ୍ରାଥମିକତା ଦିଆଯାଇ ଦୋକାନ ଗୃହ ପ୍ରଦାନ କରାଯିବ ବୋଲି କହିଛନ୍ତି ବିଇଏମସି କମିଶନର ଓ ମେୟର ।
ମାର୍ଗେଟ ଭଙ୍ଗାଯିବା ପରେ ଉଚ୍ଛେଦ ବ୍ୟବସାୟୀଙ୍କୁ କର୍ପୋରେସନ୍ ରୋଜ୍ରେ ନିଗମର ଖାଲି ସ୍ଥାନରେ ବ୍ୟବସାୟ କରିବାକୁ ଅନୁମତି ଦିଆଗଲା। ବ୍ୟବସାୟୀ ନିଜ ଖର୍ଚ୍ଚରେ ୫୫ ଦୋକାନ ନିର୍ମାଣ କରି କାରବାର ଆରମ୍ଭ କଲେ। ୧୭୫ରୁ ଉର୍ଦ୍ଧ ବ୍ୟବସାୟୀ ପୁରୁଣା କୋଠାରୁ ହଟିବା ପରେ ୫୫ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ କେଉଁଠି ବ୍ୟବସାୟ କରୁଛନ୍ତି ତାର ପତା ନାହିଁ । ସେପଟେ ନିଗମ କର୍ତ୍ତୃପକ୍ଷ ପୁରୁଣା କୋଠାକୁ ଭାଙ୍ଗି ନୂଆ କୋଠା ନିର୍ମାଣରେ ଅହେତୁକ ବିଳମ୍ବ କରୁଛନ୍ତି । ଏହାରି ଭିତରେ ତିନି ଥର ଡିପିଆର ପ୍ରସ୍ତୁତି ହୋଇଥିଲେ ମଧ୍ୟ ଗୋଟିଏ ବି କାର୍ଯ୍ୟକାରୀ ହୋଇପାରିନଥିଲା ।ଚଳିତ ଥର ଡିପିଆର ପ୍ରସ୍ତୁତ ପରେ କମ୍ପ୍ଲେକ୍ସ ନିର୍ମାଣ ହୋଇ ପାରୁଛି କି ନାହିଁ, ଉଚ୍ଛେଦ ବ୍ୟବସାୟୀଙ୍କୁ ଦୋକାନ ଗୃହ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

