ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଛି ଗୃହ

ଭୁବନେଶ୍ୱର: ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଲା ଗୃହ। ପ୍ରଶ୍ନକାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ମହାନଦୀ ଅବବାହିକା ସୁବର୍ଣ୍ଣପୁର ଜିଲ୍ଲାର ଖଇରମାଲ ଓ ଗୋଧନେଶ୍ୱର ଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ କରାଯିବ। ବିନା ବିସ୍ଥାପନରେ ଏହା ହେବ ।

୬ ବର୍ଷ ଭିତରେ ସବୁଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର କରାଯିବ। ୧୬ଟି ପ୍ରଥମ ପର୍ଯ୍ୟାୟରେ ସରିବ ଏବଂ ବାକିର ଟେଣ୍ଡର ଖୁବ ଶୀଘ୍ର କରାଯିବ ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ।

ଅନ୍ୟପଟେ ବିଧାନସଭାରେ ଆସିଥିବା ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଝି, ଟିଟିଲାଗଡ଼, ବରଗଡ଼ ଜିଲ୍ଲାର ପଦମପୁର ଓ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ଜିଲ୍ଲା କରିବା ପାଇଁ ଦାବି ପତ୍ରଗୁଡିକ ରାଜସ୍ବ ବିଭାଗ ପାଇଛି ।

ସେହିପରି ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ଦ୍ବାରା ୨୦୨୧ ମସିହା ପାଇଁ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ସଡ଼କ ଦୁର୍ଘଟଣା ସଂଖ୍ୟା ଦେଶରେ ସର୍ବାଧିକ ନୁହେଁ । ସୁପ୍ରିମକୋର୍ଟ କମିଟି ବିଭିନ୍ନ ରାଜ୍ୟରେ ସଡ଼କ ଦୁର୍ଘଟଣାର ସମୀକ୍ଷା କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ସଡ଼କ ଦୁର୍ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଅଡିଟ ଏହି କମିଟି କରାଇଥିଲେ । ଅଡିଟ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟ କମିଟି ସଡ଼କ ଦୁର୍ଘଟଣା ରୋକିବା ନିମନ୍ତେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଆଜି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହା କହିଛନ୍ତି ।

ଆହୁରି ମଧ୍ୟ ଭୂମିକମ୍ପ ଜୋନରେ ଅନୁଗୁଳର ତାଳଚେର ବ୍ଲକ ଓ ଏହାର ପ୍ବାର୍ଶବର୍ତ୍ତୀ ଅଞ୍ଚଳକୁ ମୋଡରେଟ ଡ୍ୟାମେଜ ରିସ୍କ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଓ ବିଲଡିଂ ମାଟେରିଆଲ ଏବଂ ଟେକ୍ନୋଲୋଜି ପ୍ରମୋସନ କାଉନସିଲ ଦ୍ବାରା ୨୦୦୬ରେ ଏହା ପ୍ରକାଶିତ ହୋଇଛି । ଭୂମିକମ୍ପ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଓଡ୍ରାଫ ସଦସ୍ୟଙ୍କୁ କୋଲାପ୍ସ ଷ୍ଟ୍ରକଚର, ସର୍ଚ୍ଚ ଏବଂ ରେସକ୍ୟୁ ପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଛି ବୋଲି ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।