ଆମାଜନ ଜଙ୍ଗଲରୁ ୪୦ ଦିନ ପରେ ୪ ଶିଶୁ ସୁରକ୍ଷିତ ଉଦ୍ଧାର

1 min read

କଲମ୍ବିଆ: ଚମତ୍କାର ! ଅଭାବନୀୟ ! ଆଶ୍ଚର୍ଯ୍ୟଜନକ ! କଲମ୍ବିଆର ଭୟଙ୍କର ଆମାଜନ ଜଙ୍ଗଲରେ ଚମତ୍କାର । ଜଙ୍ଗଲରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାର ୪୦ ଦିନ ପରେ ୪ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୪ ଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ମାସରୁ କମ୍ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୧୩, ୯ ଓ ୪ ବର୍ଷ । ହିଂସ୍ର ଜୀବଜନ୍ତୁ, ବିରାଟ ବିରାଟ ସାପ ଥିବା ଆମାଜନ ଜଙ୍ଗଲରେ ପ୍ରତିକୂଳ ପରିସ୍ଥିତିରେ ୪୦ ଦିନ ପରେ ୪ ଶିଶୁଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାରୁ କଲମ୍ବିଆରେ ଖୁସିର ଲହରୀ ଖେଳିଯାଇଛି ।

ଗତ ମେ ୧ ତାରିଖରେ ଆମଜନ ଜଙ୍ଗଲରେ ଏକ କ୍ଷୁଦ୍ର ବିମାନ ଖସି ପଡ଼ିଥିଲା । ବିମାନରେ ୪ ଶିଶୁଙ୍କ ସହ ସେମାନଙ୍କ ମାଆ, ପାଇଲଟ ଓ ସହ-ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ହେଲିକପ୍ଟର ସହାୟତା ମଧ୍ୟ ନିଆଯାଇଥିଲା । ଦୁଇ ସପ୍ତାହ ତଳେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିଥିଲା । ଘଟଣାସ୍ଥଳରୁ ମିଳିଥିଲା ଚାରି ଶିଶୁଙ୍କ ମାଆ, ପାଇଲଟ୍‌ ଓ ସହ-ପାଇଲଟଙ୍କ ମୃତଦେହ । କିନ୍ତୁ ପିଲାମାନଙ୍କ ଖୋଜ ଖବର ମିଳିନଥିଲା । ପ୍ରବଳ ବର୍ଷା ହେଉଥିବା ଜଙ୍ଗଲରେ କିଛି ଛୋଟ ପିଲାଙ୍କ ପାଦଚିହ୍ନ ଦେଖି ରେସ୍କ୍ୟୁ ଟିମ୍ ଖୋଜାଖୋଜି ଜାରି ରଖିଥିଲେ । ଶେଷରେ ୪ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବର୍ଷାଜଳ ପିଇ ଓ ଉଦ୍ଧାରକାରୀ ଦଳ ଅନୁମାନ କରି ଆକାଶମାର୍ଗରୁ ପକାଇଥିବା କିଛି ଫଳ ଖାଇ ଏହି ଶିଶୁମାନେ ୧୧ ମାସରୁ କମ୍ ବୟସର ପିଲା ସହିତ ନିଜକୁ ବଞ୍ଚାଇ ପାରିଛନ୍ତି । ଦୁର୍ଗମ ଜଙ୍ଗଲରେ ଆତ୍ମରକ୍ଷା ପାଇଁ କିଛି ପାରମ୍ପରିକ କୌଶଳ ଏମାନଙ୍କୁ ବେଶ୍‌ ସାହାଯ୍ୟ କରିଛି । ୪ ଶିଶୁ ଉଦ୍ଧାର ପରେ ଦେଶ ପାଇଁ ଏହା ସବୁଠାରୁ ଏକ ବଡ଼ ଖୁସିର ଦିନ ବୋଲି କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ।