ହରିଆଣା କରନାଲରେ ବିଲ୍ଡିଂ ଭୁଶୁଡ଼ି ୪ମୃତ

ଚଣ୍ଡିଗଡ଼: ହରିଆଣା କରନାଲରେ ବିଲ୍ଡିଂ ଭୁଶୁଡ଼ି ୪ମୃତ । ୩ ମହଲା ବିଶିଷ୍ଟ ଏକ ରାଇସ ମିଲ୍ କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ୪ଜଣଙ୍କର ମୃତ୍ୟୁ ହୋଇଛି । ୨୦ଜଣ ଆହତ ହୋଇଥିବା ବେଳେ କେତେଜଣ ଏବେ ବି ବିଲ୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ କୋଠା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ମିଲରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଶୋଇଥିବା ବେଳେ କୋଠା ଭୁଶୁଡ଼ିଥିବାରୁ ଅନେକ ଲୋକ ଭିତରେ ଫସି ରହିଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଶହେ ଜଣଙ୍କୁ ଉଦ୍ଧାର କରିଛି । ଏନଡିଆରଏଫ ଟିମ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ମିଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।