ସିଲ୍‌ ହେବ ବାଲେଶ୍ବରରେ ଥିବା ୪ଟି ନର୍ସିଂ ହୋମ୍‌ ଓ କ୍ଲିନିକ୍‌

ବାଲେଶ୍ବର : ସିଲ୍‌ ହେବ ବାଲେଶ୍ବରରେ ଥିବା ୪ଟି ନର୍ସିଂ ହୋମ୍‌ ଓ କ୍ଲିନିକ୍‌ । ଏଥିସହିତ ୪ଜଣ ଡ଼ାକ୍ତରଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇପାରେ କଢା କାର୍ଯ୍ୟାନୁଷ୍ଠାନ । ନୋଟିସ୍‌ ଜାରି କରି ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଡ଼ି.ଭି. ସିନ୍ଦେ । ଡ଼ାକ୍ତର ନଥାଇ, ମୃତ୍ୟୁବରଣ କରିଥିବା ଡ଼ାକ୍ତରଙ୍କ ସାର୍ଟିଫିକେଟ୍‌ରେ କ୍ଲିନିକ୍‌ ପଞ୍ଜିକୃତ କରି ଚାଲିଛି ସ୍ବାସ୍ଥ୍ୟସେବାର ବ୍ୟବସାୟ । ଏଥିସହିତ ଅଲ୍ଟ୍ରାସାଉଣ୍ଡ ମେସିନ୍‌ର ଉପଯୁକ୍ତ ବ୍ୟବହାର ହେଉନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଯାଞ୍ଚକରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । ରିପୋର୍ଟରେ ଦର୍ଶାଯାଇଥିବା ଅନିୟମିତତାକୁ ଭିତ୍ତିକରି ଜିଲ୍ଲାପାଳ.,  ଡ଼ା.ଭାସ୍କର ଚନ୍ଦ୍ର ବେହେରା, ଡ଼ା. ଶଶିଭୂଷଣ ରଥ, ଡ଼ା. ରୁପେଶ କୁମାର ସେନାପତି ଓ ଡ଼ା. ଶିବଦାସ ପାଣିଗ୍ରାହୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଛନ୍ତି । ସେହିପରି କଲେଜ ରୋଡ଼ରେ ଥିବା ଡ଼ା. ମାଲ୍ଲିକ ଡାଇଗ୍ନୋଷ୍ଟିକ୍ ସେଣ୍ଟର, ଭାସ୍କରଗଞ୍ଜରେ ଥିବା ନିଉଟେକ୍ ଲାବ ଆଣ୍ଡ ଡାଇଗ୍ନୋସ୍ଟିକ୍, ବିବେକାନନ୍ଦ ମାର୍ଗରେ ଥିବା କ୍ୟୋର ଆଣ୍ଡ କେଆର ମଲ୍ଟି ସ୍ପେସିଆଲିଟି କ୍ଲିନିକ ଓ କୁରୁଡ଼ାରେ ଥିବା ନିଗମ ହସ୍ପିଟାଲ ଆଣ୍ଡ ଆଡ଼ଭାନ୍ସ ଟ୍ରମା କେଆରକୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ଏହି ଖବର ଉପରେ ନଜର ପକାନ୍ତୁ : ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କ୍ରିକେଟ କିମ୍ବଦନ୍ତୀଙ୍କ ପ୍ରତିମୂର୍ତ୍ତି

ନର୍ସିଂହୋମ୍‌ ଓ କ୍ଲିନିକ୍‌ ଗୁଡ଼ିକୁ ନିର୍ଦ୍ଧିଷ୍ଟ ଡ଼ାକ୍ତରଙ୍କ ନାମରେ ଓ ପ୍ରତୈକ୍ଷ ତତ୍ବାବଧାନରେ ଚଳାଇବାକୁ ଆଇନରେ ନିର୍ଦ୍ଦେଶ ରହିଛି । ହେଲେ ଏହି ସଂସ୍ଥା ଗୁଡ଼ିକ ଦାଖଲ କରିଥିବା ଡ଼ାକ୍ତରଙ୍କ ସାର୍ଟିଫିକେଟ୍‌କୁ ବିଭିନ୍ନ ସଂସ୍ଥାରେ ପଞ୍ଜିକୃତ କରାଯିବା, ଡ଼ାକ୍ତରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ନାମରେ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଚଳାଇବା ଅଭିଯୋଗରେ ନୋଟିସ୍‌ ଜାରୀ କରାଯାଇଛି । ନୋଟିସ୍‌ ଅନୁସାରେ ଆସନ୍ତା ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି । ଉତ୍ତର ସନ୍ତୋଷଜନକ ନହେଲେ ଦୃ୍ଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।