ଶ୍ରମିକ ହୋଇ ଗଲେ ଶବ ହୋଇ ଫେରିଲେ: ବାହାର ରାଜ୍ୟକୁ କାମ କରିବାକୁ ଯାଇ ତିନି ଦିନରେ ୪ ଦାଦନଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପରିବାର ପ୍ରତିପୋଷଣ ପାଇଁ ପର ରାଇଜକୁ ଯାଇଥିଲେ ଦାଦନ ଖଟି । ଭଲ ଦୁଇ ପଇସା ମିଳିବ ଓ ଭଲରେ ପେଟପାଟଣା ଚଳିବ । ଏଭଳି ଅସୁମାରୀ ଆଶା ନେଇ ବାହାରକୁ ଗୋଡ କାଢିଥିଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଚାରି ଜଣ ଓଡ଼ିଆ । ହେଲେ କିଏ ଜାଣିଥିଲା ମୃତ୍ୟୁ ତାଙ୍କୁ କଢାଇ ନେଉଛି ବାଟ । କାମ କରିବାକୁ ବାହାର ରାଜ୍ୟକୁ ଯାଇ ଏବେ ଘରକୁ ଶବ ହୋଇ ଫେରିଛନ୍ତି । ତିନି ଦିନ ମଧ୍ୟରେ ୪ ଜଣ ମୃତ୍ୟୁ ଘଟିଛି । ମୃତକଙ୍କ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ଓ ଖାରିଆଗୁଡା ବ୍ଲକର ଏହି ଦୁଃଖଦ ଖବର । ଜନ୍ମମାଟିକୁ ଫେରିଛି ଶ୍ରମିକ ହୋଇ ବାହାର ରାଜ୍ୟକୁ ଗୋଡ କାଢିଥିବା ୪ ଜଣଙ୍କ ଶବ । ତିନି ଦିନରେ ଚାରି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଭୈରପୁର ଗାଁର ଉଜ୍ବଳ ପ୍ରଧାନ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ ଅରୁଥିଲେ । ଗତ ଦୁଇ ଦିନ ପୂର୍ବରୁ କାମ ସାରି ନିଜ ରୁମକୁ ଫେରିଥିଲେ । କିନ୍ତୁ ପରଦିନ ସକାଳେ ନିଜ ରୁମରୁ ନ ବାହାରିବା ଲୋକେ ସନ୍ଦେହ କରି କବାଟ ଭାଙ୍ଗିଥିଲେ । ହେଲେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ପାଇଥିଲେ ଲୋକ । ସେହିପରି ବାଦପୁର ଗାଁର ତୁମ୍ବନାଥ ବେହେରା ମୁମ୍ବାଇରେ କିଛି ବର୍ଷ ହେଲା ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତଦୁଇ ଦିନ ପୂର୍ବରୁ ହଠାତ ତାଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଛି । ସେହିଭଳି ରାଜପୁର ଗାଁର ବିଜୟ ଦଳେଇ କିଛି ବର୍ଷ ହେଲା ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିଲେ । ରବିବାର ଛୁଟି ଦିନ ଥିବାରୁ ନିଜ ରୁମରେ ବିଶ୍ରାମ କରୁଥିବା ସମୟରେ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଖାରିଆଗୁଡା ବ୍ଲକର ତିନିଘରିଆ ଗାଁର ଗଦାଧର ଗୌଡ଼ଙ୍କ ତାମିଲନାଡୁରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।
ତିନି ଦିନ ମଧ୍ୟରେ ଚାରି ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେବା ଖବର ସାରା ଗଞ୍ଜାମ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ସରକାର ଲୋକଙ୍କୁ ସ୍ଥାନୀୟ ଅଞ୍ଚଳରେ ହିଁ କିଛି ନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କିଭଳି ମୃତକଙ୍କ ପରିବାରକୁ ଅଧିକ ସହାୟତା ମିଳିପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଦାଦନ ଦୁଃଖ କିଛି ନୂଆ ନୁହେଁ । କିଭଳି ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।