ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ନିର୍ଯାତନା ଘଟଣା : ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେବା ଘଟଣା । ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ଏବେ ବି ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାଏକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ. ।
ଗତ ୨୩ ତାରିଖ ଦିନ ପୁଇଁତଳା ବ୍ଳକ କୁଲୁଥିପାଲି ଗାଁକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଠିକାଦାର ଓ ଗୁଣ୍ଡାମାନେ କଙ୍ଗାରୁକୋର୍ଟ କରି ନିର୍ଯାତନା ଦେଇଥିଲେ । ଦୁର୍ନୀତିର ଗନ୍ଧ ବାରିବା ପରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ବିଜୟ ପ୍ରଧାନ । ଏହି ସମୟରେ ବିଜୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହାତ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇଥିଲେ ଠିକାଦାର । ପାଖାପାଖି ୨ରୁ ୩ ଘଣ୍ଟା ଧରି ଆତଙ୍କ ସୃଷ୍ଟି କରିବା ସହ କଙ୍ଗାରୁ କୋର୍ଟ କରି ଦଣ୍ଡ ଦେଇଥିଲେ । ଆଉ ଖବର ସଂଗ୍ରହ ନକରିବା ସହ ଆକ୍ରମଣ ବିଷୟରେ ଏତଲା ନଦେବାକୁ ନେଇ ଗାଁ ମନ୍ଦିରକୁ ନେଇ ଶପଥ କରାଇଥିଲେ ।
ଜୀବନ ରକ୍ଷା ପାଇଁ ସେମାନେ ଯାହା ଶପଥ କରିବାକୁ କହିଲେ ଭୟରେ ତାହା କରିଥିଲେ ବିଜୟ । ତାପରେ ମନ୍ଦିରରୁ ଟେକି ନେଇ ଗାଁ ବାହାରେ ରାସ୍ତା କଡରେ ତାଙ୍କୁ ଫୋଫାଡି ଚାଲିଯାଇଥିଲେ । ସେଠାରେ ସେ ୨ ଘଣ୍ଟା ଧରି ଗୁରୁତର ଆହତ ଅବସ୍ଥାରେ ହାତ ବନ୍ଧା ହୋଇ ପଡ଼ିରହିଥିଲେ । ଅପରାଧୀଙ୍କ ଭୟରେ ଲୋକେ ପାଖକୁ ଯାଇନଥିଲେ । ପରିବାର ଲୋକେ ଖବର ପାଇ ପୁଇଁତଳା ପୋଲିସକୁ ଖବର ଦେଇଥିଲେ । ପୋଲିସ ସହ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରି ବିଜୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ବ୍ୟାପିବାପରେ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।