ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ଭୁବନେଶ୍ବର: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେପରି ଖାଦ୍ୟ ଜରୁରୀ ହୋଇଥାଏ, ସେହିପରି ନିଦ ମଧ୍ୟ ଜରୁରୀ ହୋଇଥାଏ । ନିରାମୟ ଜୀବନ ପାଇଁ ଆବଶ୍ୟକ ନିଦ୍ରା ଗୁରୁତ୍ୱପୂର୍ଣ୍ଣ । ନିଦ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ପାଇଁ ମୂଳଦୁଆ ସାବ୍ୟସ୍ତ ହୋଇଥାଏ । ରାତିରେ ଶୋଇବା ପରେ ବାରମ୍ବାର ନିଦ ଭାଙ୍ଗେ । ଯେଉଁ କାରଣରୁ ଆପଣ ସକାଳେ ଉଠିବା ପରେ ସତେଜ ଅନୁଭବ କରନ୍ତି ନାହିଁ । ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳେ । ସଠିକ୍ ନିଦ ନହେବା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଆପଣ ଭାବିଛନ୍ତି କି ରାତିରେ ଆପଣଙ୍କ ନିଦ କାହିଁକି ଭାଙ୍ଗିଯାଏ ।

ଭଲ ନିଦରେ ଶୋଇବାକୁ ହେଲେ ରାତି ଖାଦ୍ୟପେୟ ପ୍ରତି ବେଶ୍ ଗୁରୁତ୍ୱ ଦେବାକୁ ପଡିଥାଏ ।  ଶୋଇବା ପୂର୍ବରୁ ସତେଜ ଓ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି,  ଯାହା ଶୋଇବା ପୂର୍ବରୁ ଖାଇଲେ ନିଦ ନହେବା ସହ ଅସ୍ଥିରତା ଲାଗିଥାଏ ।

ଆସନ୍ତୁ ଜାଣିବା ଏହି ୫ଟି ଖାଦ୍ୟ ଓ ପାନୀୟ ସମ୍ପର୍କରେ ଯାହା ରାତିରେ ଆପଣଙ୍କ ନିଦ ହଜାଇ ପାରେ ।

କଫି ବା ଚା: ଶୋଇବା ପୂର୍ବରୁ କଫି କି ଚା ପିଅନ୍ତୁ ନାହିଁ । କାରଣ ଏହା ଉତ୍ତେଜକ ପାନୀୟ ହୋଇଥିବା ବେଳେ ନିଦ ନ ଆସିବାର ଏକ କାରଣ । କଫିର ପ୍ରଭାବ ଶରୀରରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ତେଣୁ ଶୋଇବା ପୂର୍ବରୁ କଫି, ଚା କି ଏନର୍ଜୀ ଡ୍ରିଙ୍କସ୍ ଠାରୁ ଦୂରେଇ ରୁହନ୍ତୁ ।

ମଦ: ମଦ ଶରୀରରେ ଉନ୍ମାଦନା ସୃଷ୍ଟି କରିଥାଏ । ଶୋଇବା ପୂର୍ବରୁ ମଦ ପିଇଲେ, ଏହା ଆପଣଙ୍କ ନିଦ ଖରାପ କରିପାରେ । ତେଣୁ ଶୋଇବା ପୂର୍ବରୁ ମଦ ପିଇବାରୁ ଦୂରେଇ ରୁହନ୍ତୁ ।

ଫାଷ୍ଟଫୁଡ: ରାତିରେ ଶୋଇବା ପୂର୍ବରୁ କେବେ ଫାଷ୍ଟଫୁଡ ଖାଇବା ଉଚିତ ନୁହେଁ । ଏପରି ଖାଦ୍ୟ ଗ୍ୟାସ ସମସ୍ୟା ସୃଷ୍ଟିର କାରଣ ହୋଇଥାଏ । ଏହି କାରଣରୁ ନିଦ ଠିକରେ ଆସି ନଥାଏ ।

ମିଠାଯୁକ୍ତ ଖାଦ୍ୟ: ଶୋଇବା ପୂର୍ବରୁ ମିଠାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ସୁଗାର ସ୍ତର ବଢ଼ିଯାଇଥାଏ । ଯାହା ଅନିଦ୍ରାର କାରଣ ହୋଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ଏମିତି ଖାଦ୍ୟରୁ ଦୂରେଇ ରୁହନ୍ତୁ ।

ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ: ରାତିରେ ଶୋଇବା ପୂର୍ବରୁ ଅଧିକ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ହଜମ ପ୍ରକ୍ରିୟା ଉପରେ ଚାପ ପକାଇବା ସହ ଏହାକୁ ମନ୍ଥର କରିଦେଇଥାଏ । ଯାହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ ।