ବାପାମାଆ ଛେଉଣ୍ଡ ୩ ଶିଶୁଙ୍କ ଦୁଃଖ ବୁଝିଲେ 5T ସଚିବ, ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ବାପାମାଆ ଛେଉଣ୍ଡ ୩ ଶିଶୁଙ୍କ ଦୁଃଖ ବୁଝିଲେ 5T ସଚିବ । ଟୁଇଟ୍ ଦେଖି ଅନାଥଙ୍କ ପାଇଁ ସୁବିଧାସୁଯୋଗ ଯୋଗାଇଦେବାକୁ ଦେଲେ ନିର୍ଦ୍ଦେଶ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଓସ୍ତପାଳ ଗାଁର ତିନି ଭାଇଭଉଣୀଙ୍କ ଦୁଃଖ ବୁଝିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗତବର୍ଷ ମେ ମାସରେ ସଡ଼କ ଦୁର୍ଘଟଣାରେ ପ୍ରମୋଦ ନାଥଙ୍କର ମୃତ୍ୟୁ ହୋଇଥିଲା । ବର୍ଷେ ପରେ ସ୍ତ୍ରୀ ସୁଜତା ନାଥଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଏହାପରେ ଅନାଥ ହୋଇପଡ଼ିଥିଲେ ୩ ସନ୍ତାନ । ଏନେଇ ଜଣେ ବ୍ୟକ୍ତିଙ୍କ ଟୁଇଟ ଦେଖି ତୁରନ୍ତ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ ।

5T ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ପିଲାମାନଙ୍କ ନିକଟରେ ପହଞ୍ଚି ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ୩ ଶିଶୁଙ୍କୁ ମାଗଣାରେ ମାଗଣାରେ ଶିକ୍ଷା ସହିତ ରାସନ କାର୍ଡ ଏବଂ ବିଜୁ ଶିଶୁ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ବିଏସକେଓ୍ବାରେ ଓ ମିଶନ ବାତ୍ସଲ୍ୟରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଥିବାରୁ 5T ସଚିବଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି ।