ରାୟଗଡା ଗସ୍ତରେ 5T ସଚିବ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ଲୋକଙ୍କ ସମସ୍ୟା ବୁଝିଲେ

1 min read

ରାୟଗଡ଼ା: ୨ଦିନିଆ ରାୟଗଡ଼ା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ସମୀକ୍ଷା । ସ୍କୁଲ, ମେଡିକାଲ, ମନ୍ଦିର, ଖେଳ ପଡ଼ିଆ ଭଳି ସ୍ଥାନ ପରିଦର୍ଶନ କରି ସମସ୍ୟା ବୁଝିଥିଲେ । ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ନେଇ ଅବଗତ ହୋଇଥିଲେ । ଶ୍ରେଣୀଗୃହ ଶିକ୍ଷା, ଶିକ୍ଷାର ମାନ ନେଇ ପିଲାଙ୍କ ସହ ଆଲୋଚନା । ଆଜିର ଗସ୍ତ ସମୟରେ 5T ସଚିବ ଭିକେ ପାଣ୍ଡିଆନ ୪ଟି ବଡ଼ ଘୋଷଣା କରିଛନ୍ତି ।  ସବୁ ସ୍କୁଲ ଓ କଲେଜର ଭିତ୍ତିଭୂମି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5T ଉପକ୍ରମରେ ୬ ମାସ ମଧ୍ୟରେ ଜିଲ୍ଲାର ସବୁ ସ୍କୁଲ ଓ କଲେଜର ଉନ୍ନତୀକରଣ ହେବ । ସ୍କୁଲ ଓ କଲେଜ ଉନ୍ନତିକରଣ ପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି କହିଛନ୍ତି । ମା ମଝିଘରିଆଣୀ ମନ୍ଦିର ପାଇଁ ରେଳବାଇ ସହିତ ଜମି ପ୍ରିମିୟମ ଛାଡ଼କୁ ଖୁବଶୀଘ୍ର ଅନୁମୋଦନ କରାଯିବ ବୋଲି ସେ କହିଛନ୍ତି । ରାୟଗଡ଼ାଠାରେ ମା ମଝିଘରିଆଣୀ ମନ୍ଦିରର ସୌନ୍ଦର୍ଯକରଣ ପାଇଁ ଡିପିଆର୍ ଏକ ମାସ ମଧ୍ୟରେ ଦାଖଲ ଏବଂ ୬ ମାସ ମଧ୍ୟରେ ମନ୍ଦିର କାମ ନିର୍ମାଣ ହେବ ବୋଲି 5T ସଚିବ ଘୋଷଣା କରିଛନ୍ତି । ଏହା ବ୍ୟତୀତ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ଆମ ହସ୍ପିଟାଲ ଯୋଜନାରେ ବିକଶିତ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ୨୦୧୯ରୁ ଜିଲ୍ଲା ଚିକିତ୍ସାଳୟ କାୟାକଳ୍ପ ପୁରସ୍କାର ପାଇ ଆସୁଛି । ଡାକ୍ତରଖାନାର ଶିଶୁରୋଗ ବିଭାଗ ମୁସ୍କାନ ପ୍ରମାଣପତ୍ର ପାଉଛି । ଏହି ସଫଳତା ପାଇଁ ମେଡିକାଲ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ସଚିବ । ହସ୍ପିଟାଲରେ ନିୟୋଜିତ ମା ମଙ୍ଗଳା ମିଶନ ଶକ୍ତି ଗୋଷ୍ଠୀ ସହ କଥାହେଲେ । ପ୍ରସିଦ୍ଧ ମା ମଝିଘରିଆଣୀ ମନ୍ଦିରର ହେବ ରୂପାନ୍ତରଣ । ମନ୍ଦିର କମିଟି ସଦସ୍ୟ ଓ ସେବାୟତଙ୍କ ସହ ଆଲୋଚନା କଲେ । ନବ ନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ । ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ାବିତଙ୍କ ସହ କଲେ ଆଲୋଚନା । ଇନଡୋର ଷ୍ଟାଡିୟମ କାମ ସମ୍ପୂର୍ଣ୍ଣ, ଖୁବଶୀଘ୍ର ଏହାର ଲୋକାର୍ପଣ ହେବ ବୋଲି ସୂଚନା ଦେଇଛନ୍ତି 5T ସଚିବ ।