ଦେଶରୁ ସବୁଠୁ ବଡ଼ଧରଣର ସୁନା ଚୋରି , ବ୍ୟାଙ୍କରୁ ୫୨ କୋଟିର ସୁନା ନେଇ ଚୋର ଛୁ‘
1 min read
ନନ୍ଦିଘୋଷ ବ୍ୟୁରୋ : ବ୍ୟାଙ୍କ୍ ଲକରରୁ ୫୨ କୋଟି ଟଙ୍କାର ସୁନା ଗାଏବ । କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ଏକ ବ୍ୟାଙ୍କରୁ ୫୨ କୋଟି ଟଙ୍କାର ସୁନା ଚୋରି ହୋଇଯାଇଛି । ଯାହାକୁ ଦେଶର ସବୁଠାରୁ ବଡ଼ ସୁନା ଚୋରି ଘଟଣା ବୋଲି କୁହାଯାଉଛି । କାନାରା ବ୍ୟାଙ୍କର ଏକ ଶାଖାରୁ ଚୋରମାନେ ସୁନା ଚୋରି କରିଛନ୍ତି। ଏହି ଘଟଣାଟି ମେ’ ଶେଷ ସପ୍ତାହରେ ଘଟିଛି। ହେଲେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିପାରି ନାହିଁ। ପୋଲିସ କହିଛି ଯେ ବିଜୟପୁରା ଜିଲ୍ଲାର ମଙ୍ଗୁଳିରେ ଥିବା କାନାରା ବ୍ୟାଙ୍କ ଶାଖାରେ ୨୩ ମଇରେ ଚୋରି ହୋଇଥିଲା। କିନ୍ତୁ ଏହା ୨୬ ମଇରେ ଜଣାପଡ଼ିଲା । ଚୋରମାନେ ଏତେ ସୁନା କିପରି ନେଇଗଲେ ତାହା ପୋଲିସ ଏପର୍ଯ୍ୟନ୍ତ ଜାଣିପାରି ନାହିଁ ।
କେବେ ହୋଇଥିଲା ଚୋରି ?
ବିଜୟପୁରା ଏସପି କହିଛନ୍ତି ଯେ, ୨୩ ମେ ସନ୍ଧ୍ୟା ୬ଟାରୁ ୨୫ ମେ ସକାଳ ୧୧ଟା ୩୦ ମଧ୍ୟରେ ସୁନା ଚୋରି ହୋଇଥିବା ସନ୍ଦେହ କରୁଛୁ । ସେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଠଟି ଦଳ ଗଠନ କରାଯାଇଛି । ଚୋରିରେ ୬ ରୁ ୮ ଜଣ ଲୋକ ସାମିଲ ଥିବା ସନ୍ଦେହ କରୁଛୁ । ଆଉ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଚୋରି ପୂର୍ବ ଯୋଜନାବଦ୍ଧ ଥିଲା। ଦ୍ୱିତୀୟ ଶନିବାର ଏବଂ ରବିବାର ଦିନ ବ୍ୟାଙ୍କ ବନ୍ଦର ସୁଯୋଗ ନେଇ ଏହି ଚୋରି କରାଯାଇଛି ।
ବ୍ୟାଙ୍କରେ କେମିତି ପଶିଲେ ଚୋର?
ଅଧିକାରୀଙ୍କ ସୂଚନା ମୁତାବକ, ଚୋର ବ୍ୟାଙ୍କରେ ପ୍ରବେଶ କରିବା ପାଇଁ ଏକ ନକଲି ଚାବି ବ୍ୟବହାର କରିଥିଲା। ସେମାନେ ଆଲାର୍ମ ବନ୍ଦ କରିଦେଇଥିଲେ ଏବଂ ସିସି ଟିଭି କ୍ୟାମେରା ମଧ୍ୟ ବନ୍ଦ କରିଦେଇଥିଲେ। ସେମାନେ ନେଟୱାର୍କ ଭିଡିଓ ରେକର୍ଡର ବା (NVR) ମଧ୍ୟ ନେଇଯାଇଛନ୍ତି। ଏହା ଛଡ଼ା ବ୍ୟାଙ୍କ ଲକର ଖୋଲି ସୁନା ନେଇ ପଳାଇଛନ୍ତି । ବିଜୟପୁରା ପୋଲିସ କହିଛି ଯେ ଚୋରି ପରେ ଅଭିଯୁକ୍ତମାନେ ଏକ କଳା କଣ୍ଢେଇ ରଖିଥିଲେ। ଏହାକୁ ଦେଖି ଲାଗୁଛି ଯେ ସେମାନେ ଅପରାଧ ସ୍ଥାନରେ କିଛି ପୂଜାର୍ଚ୍ଚନା କରିଥିଲେ। ଏହି ଘଟଣା ପ୍ରଥମ ଥର ନୁହେଁ ଯେ କର୍ଣ୍ଣାଟକରେ କୌଣସି ବ୍ୟାଙ୍କକୁ ଟାର୍ଗେଟ କରାଯାଇଛି, ଏପରି ବ୍ୟାଙ୍କରୁ ଚୋରି ପୂର୍ବରୁ ମଧ୍ୟ ହୋଇଛି ।