କଂଗ୍ରେସ ମହାଧିବେଶନ: ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ଗୃହିତ

1 min read

ରାଇପୁର: କଂଗ୍ରେସ ମହାଧିବେଶନରେ ୫୮ ସୂତ୍ରୀ ରାଜନୈତିକ ପ୍ରସ୍ତାବ ଗୃହିତ । ନିର୍ବାଚନୀ ସଂସ୍କାର, ଇଲେକ୍ଟ୍ରୋରାଲ ବଣ୍ଡ, ଇଭିଏମ, ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଆଦି ପ୍ରସଙ୍ଗ ସମେତ ଅନ୍ୟାନ୍ୟ ପ୍ରସ୍ତାବ ରହିଛି ଏଥିରେ । ଗୃହିତ ପ୍ରସ୍ତାବରେ ବିଜେପିର ଗେମ୍ ପ୍ଲାନକୁ କରାଯାଇଛି ତୀବ୍ର ସମାଲୋଚନା ।

୨୦୨୪ରେ ବିଜେପିର ପରାଜୟ ନେଇ କଂଗ୍ରେସ ସୂଚନା ଦେବା ସହ ରାଜନୈତିକ ଦଳ ଓ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିଜେପି ଏକ ବୃହତ ଚାଲେଞ୍ଜ ବୋଲି ଦର୍ଶାଯାଇଛି । ଦଳ ପକ୍ଷରୁ କୁହାଯାଇଛି, ‘ବର୍ତ୍ତମାନ ଚାଲିଥିବା ଇଲେକ୍ଟୋରାଲ ବଣ୍ଡ ନାମରେ ବ୍ୟାପକ ଅନିୟମିତତା ହେଉଛି । ତେଣୁ ଏକ ଜାତୀୟ ନିର୍ବାଚନ ପାଣ୍ଠି ଗଠନ କରାଯାଉ । ସ୍ବଚ୍ଛତା ଭିତ୍ତିରେ ବିଭିନ୍ନ ଦଳକୁ ଏହି ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଉ । ବର୍ତ୍ତମାନ ଦେଶରେ ୧୪ଟି ରାଜନୈତିକ ଦଳ, କମ୍ପ୍ୟୁଟର ବିଜ୍ଞାନୀ ପ୍ରମୁଖ ଇଭିଏମର ଅପବ୍ୟବହାର ନେଇ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଦେଶରେ ଭୋଟରଙ୍କ ଆସ୍ଥା ଲାଗି ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବରେ ଦାବି କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଉଠାଇବାକୁ ପରାମର୍ଶ ଦିଆଯାଇଛି ।’

ଅଭିଯୋଗ ଶୁଣାଣି ବିଲ୍-୨୦୧୧କୁ ପୁଣି ଥରେ ଉପସ୍ଥାପିତ କରିବା, ସ୍ବାସ୍ଥ୍ୟସେବା ଲାଗି ପ୍ରତି ନାଗରିକଙ୍କୁ ଗ୍ୟାରେଣ୍ଟି ଦେବା, ୨୦୨୪-୨୫ରେ ସ୍ବାସ୍ଥ୍ୟ ସେବା ଲାଗି ଜିଡିପିର ୩ ପ୍ରତିଶତ ବ୍ୟୟ କରିବା, ଜାମ୍ମୁ ଓ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି ପ୍ରସ୍ତାବରେ ରହିଛି । ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ଦଳରେ ନୂଆ କର୍ମୀଙ୍କୁ ସାମିଲ କରିବା, ଦଳବଦଳ ନିରୋଧ ପ୍ରସଙ୍ଗରେ ପଦକ୍ଷେପ ନେବା, ପୋଲିସ ବାହିନୀର ଆଧୁନିକୀକରଣ, ଏସସି ଓ ଏସଟି, ମହିଳା, ସଂଖ୍ୟାଲଘୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ପ୍ରସ୍ତାବ ଗୃହିତ ହୋଇଛି ।