୧୫୦ ବର୍ଷର ସିକ୍କିମ ପଟ୍ଟା ସମସ୍ୟାର ହେବ ସମାଧାନ: 5T ଅଧ୍ୟକ୍ଷ

1 min read

ବାଲେଶ୍ବର: ୧୫୦ ବର୍ଷ ଧରି ଲାଗି ରହିଥିବା ଚାଷୀଙ୍କର ଏକ ବଡ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିକ୍କିମ ପଟ୍ଟାଧାରୀ ରୟତମାନେ ନିଜ ଜମିର ସତ୍ତ୍ବ ପାଇବା ନେଇ ସମସ୍ୟା ଲାଗି ରହିଥିଲା । ହେଲେ ଏହି ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜସ୍ବ ଆଇନରେ ପରିବର୍ତ୍ତନ ଅଣାଯାଇଛି । ସମଗ୍ର ରାଜ୍ୟର ୨ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । କେବଳ ବାଲେଶ୍ବର ଜିଲ୍ଲାର ୧୮ ହଜାର ରୟତ ପରିବାର ଉପକୃତ ହେବେ । ୧୫୦ ବର୍ଷ ପରେ ସେମାନେ ସେମାନଙ୍କ ଜମିର ପଟ୍ଟା ପାଇବେ । ୨୧୦୧ ଏକର ସିକ୍କିମ ପଟ୍ଟା ସ୍ଥିତିରେ ଥିବା ଜମିର ପଟ୍ଟା ମିଳିବ । ଦିନିକିଆ ବାଲେଶ୍ବର ଗସ୍ତରେ ଯାଇ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି । ଏହାସହ ଭତ୍ତାକୁ ନେଇ ନେଇ ଦେଇଛନ୍ତି ଖୁସି ଖବର ।

ବାଲେଶ୍ବର ଗସ୍ତ ବେଳେ 5T ଅଧ୍ୟକ୍ଷ  କହିଛନ୍ତି ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ପାଇଛି ୧୦୩୮ କୋଟି ଟଙ୍କା । ୧୫୦ ବର୍ଷର ସିକ୍କିମ ପଟ୍ଟା ସମସ୍ୟାର ହେବ ସମାଧାନ । ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ଭାବନ୍ତି । ଲୋକଙ୍କ ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି । ପଞ୍ଚମ ପାଳିରେ ବହୁ ଯୋଜନା କରାଯାଉଛି ।’ ଗସ୍ତରୁ କ’ଣ ମିଳୁଛି ବା କ’ଣ ଫରକ ପଡୁଛି ବୋଲି କେହି କେହି ପ୍ରଶ୍ନ ଉଠାଉଛନ୍ତି । ଜବାବରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ‘ସେ ଜୁନ ମାସରେ ବାଲେଶ୍ବର ଆସି ଲୋକଙ୍କଠାରୁ ଦରଖାସ୍ତ ନେଇଥିଲେ । ସବୁ ଦରଖାସ୍ତକୁ ବିଚାରକୁ ନେଇ ଜିଲ୍ଲାକୁ ୧୦୩୮କୋଟି ଟଙ୍କା ବିକାଶମୂଳକ କାର୍ଯ୍ୟ ମିଳିଛି, ଏହା ହିଁ ବଡ ଫରକ ।’

ଆଗକୁ ସେ କହିଥିଲେ, ‘ଫେବ୍ରୁଆରୀ ଶେଷ ସୁଦ୍ଧା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେବ । ଛାତ୍ରଛାତ୍ରୀ ଓ ମା’ମାନେ ବିଶେଷ ଉପକୃତ ହେବେ । 5T ଯୋଜନାରେ ବାଲେଶ୍ବର ଜିଲ୍ଲାର ୧୩୬ କଲେଜ ସାମିଲ ହୋଇଛି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମିଳିବ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଲାଗି ୧୬ ତାରିଖରେ ଆସିବ ଖୁସି ଖବର । ଗଞ୍ଜାମ ହିଞ୍ଜିଳିକାଟୁରେ ବୁଲିବାର ଅନୁଭୂତି ବାଲେଶ୍ବରରେ ପାଇଛି ।’ ନୂଆ-ଓ କାର୍ଯ୍ୟକ୍ରମରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ବିଭିନ୍ନ ସ୍ଥାନରେ 5T ଅଧ୍ୟକ୍ଷଙ୍କ ଉପର ହୋଇଥିଲା ପୁଷ୍ପ ବୃଷ୍ଟି, ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା ।