5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତ ଆରମ୍ଭ, ପହଞ୍ଚିଲେ ହିଞ୍ଜିଳିକାଟୁରେ

1 min read

ହିଞ୍ଜିଳିକାଟୁ: ଦୁଇଦିନିଆ ଗଞ୍ଜାମ ଗସ୍ତରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ହିଞ୍ଜିଳିକାଟୁର ପୋଚିଲିମା କଲେଜରେ ପହଞ୍ଚିଥିଲେ । ରୂପାନ୍ତରିତ ଖାମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍ମାର୍ଟ କ୍ଲାସ ରୁମ ସହ ଲାଇବ୍ରେରୀ, କମ୍ପ୍ୟୁଟର ଓ ସାଇନ୍ସ ଲାବ ବୁଲି ଦେଖିଥିଲେ । କଲେଜର ରୂପରେଖ ୬ ମାସରେ ବଦଳି ଯାଇଥିବାରୁ ଖୁସି ପ୍ରକାଶ କରିଥିଲେ କାର୍ତ୍ତିକ ପାଣ୍ଡିଆନ । କଲେଜରେ ଭିତ୍ତିଭୂମିର ଉନ୍ନତିକରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀମାନେ କୃତଜ୍ଞତା ଜଣାଇଥିଲେ ।

ପରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ କିପରି ଲାଗୁଛି ବୋଲି ପଚାରିବା ସହ ଏହାର ଉଦ୍ଦେଶ୍ୟ ବୁଝାଇଥିଲେ ପାଣ୍ଡିଆନ୍ । ଆଗରୁ କଲେଜଗୁଡିକରେ ଛାତ୍ରଛାତ୍ରୀ କେବଳ ପାଠ ପଢୁଥିଲେ । ଏବେ ସେମାନଙ୍କର ଆତ୍ମବିଶ୍ବାସ ବଢାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯାହାଦ୍ବାରା ପାଠ ସହ ପିଲାମାନେ ଡିବେଟ୍, ଖେଳ, ମ୍ୟୁଜିକରେ ଭାଗ ନେଇ ସେମାନଙ୍କର ଦକ୍ଷତା ବୃଦ୍ଧି କରିବେ ବୋଲି ସେ କହିଛନ୍ତି । ଏହାସହ ଏପରି କାର୍ଯକ୍ରମ ପ୍ରତିବର୍ଷ କରିବା ପାଇଁ ପିଲାମାନଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଆସନ୍ତା ଜାନୁଆରୀ କିମ୍ବା ଫେବ୍ରୁଆରୀରେ ଜିଲ୍ଲାରେ ଲକ୍ଷ୍ମୀବସ ସେବାର ଶୁଭାରମ୍ଭ ହେବ  । ଏହାଦ୍ବାରା କଲେଜ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ  । ମାତ୍ର ୫ଟଙ୍କା ଦେଇ ଗାଁରୁ କଲେଜ ଯାଇପାରିବେ ବୋଲି କହିଛନ୍ତି ।  ଜୀବନରେ ସବୁବେଳେ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ କାର୍ତ୍ତିକ ପାଣ୍ଡିଆନ ପରାମର୍ଶ ଦେଇଥିଲେ  । ୫ ବର୍ଷର କଠିନ ପରିଶ୍ରମ ୫୦ ବର୍ଷ ସୁଖ ଜୀବନ ଆଣିଦେବ । ଏଣୁ ସଭିଏଁ କଠିନ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ  ।

ପରେ ହିଞ୍ଜିଳିକାଟୁରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଖଚାଖଚ ଭିଡ଼ରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସଭିଏଁ ପାଣ୍ଡିଆନଙ୍କ ସହ ହାତ ମିଳାଇ ବିକାଶ ପ୍ରତି ନିଜର ସମର୍ଥନ ପ୍ରଦାନ କରିଥିଲେ । ହିଞ୍ଜିଳିକାଟୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ପ୍ରତିଟି କ୍ଷେତ୍ରରେ ହିଞ୍ଜିଳିକାଟୁ ବିକାଶିତ ହୋଇଛି । ଆଗାମୀ ଦିନରେ ସବୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।