ଧର୍ମଗଡରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର, କହିଲେ- ଆପଣଙ୍କ ସାଂସଦ…

1 min read

ଧର୍ମଗଡ: ପ୍ରଗତିର ଚିହ୍ନ ଶଙ୍ଖ । ଶଙ୍ଖ ଚିହ୍ନ ଜିତିଲେ ଓଡିଶାର ଉନ୍ନତି ହେବ। ଧର୍ମଗଡ ବିଧାନସଭା କ୍ଷେତ୍ର କୋକସରା ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଅବସରରେ ଏଭଳି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ନିର୍ବାଚନ ବେଳେ କିଛି ନେତା ଡବଲ ଇଂଜିନ କଥା କହିବେ। କିନ୍ତୁ ପଡୋଶୀ ଛତିଗଡରେ ପ୍ରଥମେ ଡବଲ ଇଂଜିନ ଥିଲା, ତାପରେ ସିଙ୍ଗଲ ଇଂଜିନ ହୋଇଗଲା । ଏବେ ଆଉ ଗୋଟେ ଇଂଜିନ ସରକାରରେ ଅଛି । ଓଡିଶାରେ କେବଳ ନବୀନ ଇଂଜିନ ହିଁ କାମ କରିବ। କାରଣ ଏହା ଲୋକଙ୍କ ସରକାର ।

ସ୍କୁଲ, କଲେଜ, ହସ୍ପିଟାଲ, ମନ୍ଦିର ସବୁ କ୍ଷେତ୍ରରେ ବିକାଶ କେବଳ ବିଜେଡି ସରକାର ହିଁ କରିପାରିବ। ଏହି ଅବସରରେ 5T ଅଧ୍ୟକ୍ଷ ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ ୱେ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଦେଖାଇ ପୂର୍ବର ବିଜେପି ସାଂସଦଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଦେଇଥିବା ସବୁ ପ୍ରତିଶୃତିକୁ ଜିତିବା ପରେ ଭୁଲିଗଲେ। ନିର୍ବାଚନ ପରେ ତାଙ୍କର ଆଉ ଦେଖାମିଳିଲା ନାହିଁ। ତେଣୁ ଏମିତି ପ୍ରାର୍ଥୀଙ୍କୁ ଜିତାନ୍ତୁ ଯିଏ ସାଥିରେ ରହିବ ଆଉ ଲୋକଙ୍କ କାମ କରିବ।

ଗତ ସାତ ମାସ ମଧ୍ୟରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ଧର୍ମଗଡ ବିଧାନସଭା କ୍ଷେତ୍ର ପାଇଁ ୧୧୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଭଣ୍ଡାରଘରଣୀ ମନ୍ଦିରର ଉନ୍ନତିକରଣ ପାଇଁ ୧କୋଟି ୯ ଲକ୍ଷ ମିଳିଥିବା ବେଳେ ଧର୍ମଗଡରେ ୨୪ ଘଣ୍ଟିଆ ପିଇବା ପାଣି ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି । ଯେଉଁଥିପାଇଁ ଆଦିବାସୀ ଭାଷା, କଳା ଓ ସଂସ୍କୃତିର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି । ଧର୍ମଗଡରେ ବିକାଶର ଧାରା ବଜାୟ ରଖିବାକୁ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ସେ ଅପିଲ କରିଛନ୍ତି ।