କବିସୂର୍ଯ୍ୟନଗରରେ ବିରୋଧୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ

1 min read

କବିସୂର୍ଯ୍ୟନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ରାତି ଓଡିଶାବାସୀଙ୍କ ଉନ୍ନତି ପାଇଁ କାମ କରୁଛନ୍ତି। ପାଞ୍ଚ ବର୍ଷକୁ ଥରେ ଆମକୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି। ୯୫ ପ୍ରତିଶତରୁ ଅଧିକ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବାକୁ କବିସୂର୍ଯ୍ୟନଗରବାସୀଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। କବିସୂର୍ଯ୍ୟନଗର ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ସେନାପତି। ସେମାନେ ସବୁବେଳେ ଲୋକଙ୍କ ସହ ଅଛନ୍ତି ଓ ରହିବେ। ସେମାନଙ୍କୁ ବଡ ଭୋଟ ବ୍ୟବଧାନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ମମତା ଯୋଜନାଠାରୁ ମିଶନ ଶକ୍ତି, BSKY, ଲକ୍ଷ୍ମୀ, ମାଗଣା ଚାଉଳ ଯୋଜନା, ନୂଆ-ଓ ଓ କାଳିଆ ଯୋଜନା ସବୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଶଙ୍ଖ ଚିହ୍ନ ଓଡିଶା ପ୍ରଗତି ଓ ଉନ୍ନତିର ଚିହ୍ନ। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ଅପିଲ କରିଛନ୍ତି। ଏହାସହ କବିସୂର୍ଯ୍ୟନଗରରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କବିସୂର୍ଯ୍ୟନଗରରେ ବିରୋଧୀ ନାହାଁନ୍ତି ବୋଲି ସେ କହିଛନ୍ତି।

ଛଅ ମାସ ତଳେ କବିସୂର୍ଯ୍ୟନଗରରୁ ମିଳିଥିବା ଆବେଦନର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଲୋକଙ୍କ ଆବେଦନ ଆଧାରରେ ଛଅ ମାସରେ ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ର ପାଇଁ ୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଠଗଡ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ଗୁପ୍ତେଶ୍ବର ମନ୍ଦିର ପାଇଁ କୋଟିଏ ୨୦ ଲକ୍ଷ, ସିଦ୍ଧେଶ୍ବର ମନ୍ଦିର ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ପୁରୁଷୋତ୍ତମପୁରର ନଦୀ ବନ୍ଧ ନିର୍ମାଣ ପାଇଁ ୩୦ କୋଟି ଏବଂ କବିସୂର୍ଯ୍ୟନଗରର ପାନୀୟ ଜଳ ପାଇଁ ଶହେ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ଲତିକା ପ୍ରଧାନ ଓ ରଂଜିତା ସାହୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। କବିସୂର୍ଯ୍ୟନଗରରେ ଡବଲ ଚାଲ ଚଳିବ ନାହିଁ ବୋଲି କହିଛନ୍ତି ଲତିକା ।