ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରନ୍ତି: 5T ଅଧ୍ୟକ୍ଷ

1 min read

ଆଖୁଆପଦା: ବହୁତ ଲୋକ ଆସନ୍ତି। ମଞ୍ଚରେ ବଡ ବଡ଼ ଭାଷଣ ଦିଅନ୍ତି। ଭାଷଣ ଦେଇ ଚାଲିଯାଆନ୍ତି। ଏହା ହୋଇଯିବ, ତାହା ହୋଇଯିବ କହିଥାନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଭଦ୍ରକ ଭଣ୍ଡାରିପୋଖରୀ ଗସ୍ତରେ ଯାଇ ଆଖୁଆପଦାରେ ଆୟୋଜିତ ସାଧାରଣ ସଭାରେ କହିଛନ୍ତି- ଏସଏଚଜିର ଋଣ ସୀମା ବଢିବା ନେଇ ଖୁବ ଶୀଘ୍ର ଆସିବ ଖୁସି ଖବର। ବର୍ତ୍ତମାନ ଋଣ ସୀମା ୫ ଲକ୍ଷ ଥିବାବେଳେ ଏହି ସୀମା ବଢିବ। ସେ ଗତବର୍ଷ ଜୁନ ୧୨ରେ ଭଣ୍ଡାରିପୋଖରୀ ଆସି ୨୨୭ଟି ଦରଖାସ୍ତ ଗ୍ରହଣ କରିଥିଲେ। ସେଥିରୁ ୧୯୦ଟିର ସମାଧାନ ହୋଇଛି। ଏହି ସମୟ ମଧ୍ୟରେ ଭଣ୍ଡାରିପୋଖରୀ ଲାଗି ୭୨୦ କୋଟି ମଞ୍ଜୁର ହୋଇଛି। କେନ୍ଦୁପଡା ରେଲୱେ ଓଭରବ୍ରିଜ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ବିରିଡି ଲାଇନରୁ ତନ୍ତିଆ ଯାଏ ରାସ୍ତା ଓ ଏମ୍ବାକମେଣ୍ଟ ଲାଗି ୫୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ଏମ୍ବାକମେଣ୍ଟ ଯୋଗୁ ଲୋକଙ୍କ ବନ୍ଯା ସମସ୍ୟାର ସ୍ଥାୟୀ ସମାଧାନ ହେବ।

ଆଖୁଆପଦା ଅଞ୍ଚଳରେ ଚାଷ ଲାଗି ୪୮୦ କୋଟି ମଞ୍ଜୁର ହୋଇଛି। ବିରିଡିରୁ ତନ୍ତିଆ ରାସ୍ତା ଲାଗି ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ବାରା ୧୭ଟି ପଞ୍ଚାୟତର ଲୋକ ଉପକୃତ ହେବେ। ଆଖୁଆପଦାରେ ୫୦ ହଜାର ଏକରରେ ଜଳସେଚନ ସୁବିଧା ହୋଇଥିବାବେଳେ ୨ ଲକ୍ଷ ୩୦ ହଜାର ଲୋକଙ୍କୁ ପାନୀୟ ଜଳ ମିଳିବ। ୬୫୦ ଏକରରେ ମାଛଚାଷର ସୁଯୋଗ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ସେ କହିଛନ୍ତି, ଶ୍ରୀମନ୍ଦିରର ରୂପାନ୍ତରୀକରଣ ହୋଇଛି। ପାଞ୍ଚଶହ ବର୍ଷରେ ଯାହା ହୋଇ ନଥିଲା ତାହା ମୁଖ୍ଯମନ୍ତ୍ରୀ ସମ୍ଭବ କରିଛନ୍ତି। ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବି ରୂପାନ୍ତରଣ ଚାଲିଛି। ସମଲେଇ ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟ ସରିଯାଇଛି। ଏହା ସହ ମମତା ଯୋଜନା, ବିଏସକେୱାଇ, ବିଭିନ୍ନ ଭତ୍ତା, ଛାତ୍ରଛାତ୍ରୀଙ୍କୁ ବୃତ୍ତି ଆଦି ସମ୍ପର୍କରେ ସରକାରଙ୍କ ଯୋଜନା ଓ ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ନୂଆ ଓଡ଼ିଶା ଗଠନ ଲାଗି ଯୁବପିଢ଼ିଙ୍କୁ ସଶକ୍ତ କରିବାକୁ ପଡିବ। ସ୍କୁଲ, କଲେଜର ରୂପାନ୍ତରଣ ଜରିଆରେ ପିଲାମାନେ ବଡ଼ ସ୍ବପ୍ନ ଦେଖିପାରିବେ। ମନ୍ଦିର ମସଜିଦ, ଚର୍ଚ୍ଚ ନେଇ ଖୁବ ଶୀଘ୍ର ଖୁସି ଖବର ଆସିବ ବୋଲି ପ୍ରକାଶ କରିଛନ୍ତି ପାଣ୍ଡିଆନ।