ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

1 min read

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ-ଟି ସଚିବ ଏକାମ୍ର ପ୍ରକଳ୍ପକୁ ଯାଇ ଏହାର ଅଗ୍ରଗତି ନେଇ କରିଛନ୍ତି ସମୀକ୍ଷା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ଲାଗି ସେ ଦେଇଛନ୍ତି ନିର୍ଦ୍ଦେଶ ।  ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଏକାମ୍ର ପ୍ରକଳ୍ପ ୨୦୧୯ରେ ରୂପରେଖ ନେଇଥିଲା ଏବଂ ଗତ ଜୁନ ୨୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରକଳ୍ପର ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ।

ଏକାମ୍ର କ୍ଷେତ୍ର ଓ କୀର୍ତ୍ତିରାଜ ପୁନରୁଦ୍ଧାର ଆକ୍ସନ ପ୍ଲାନ ବା ଏକାମ୍ର ପ୍ରକଳ୍ପର ଆଭିମୁଖ୍ୟ ରହିଛି ସହରାଞ୍ଚଳ ଡିଜାଇନ ଜରିଆରେ ପୁରୁଣା ଭୁବନେଶ୍ବରର ଐତିହ୍ୟଗତ ମୂଲ୍ୟବୋଧକୁ ପରିବର୍ଦ୍ଧିତ କରିବା । ଅନେକ ମନ୍ଦିର, ପବିତ୍ର ଜଳଧାରା, ଶୋଭାଯାତ୍ରା ମାର୍ଗ, ପାରମ୍ପରିକ ପୂଜକ ସମ୍ପ୍ରଦାୟ, ଅନେକ ସାଂସ୍କୃତିକ କାର୍ଯ୍ୟକଳାପରେ ସମୃଦ୍ଧ ପୁରୁଣା ଭୁବନେଶ୍ବର । ପୁରୁଣା ଭୁବନେଶ୍ବରର ଐତିହ୍ୟର ସୁରକ୍ଷା ସହ ବିନ୍ଦୁସାଗରର ପୁନରୁଦ୍ଧାର ଓ ଏକମ୍ର ବନ ପ୍ରକଳ୍ପ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଇଆସୁଛନ୍ତି । ସମସ୍ତ ଡିଜାଇନ ଚୂଡ଼ାନ୍ତ କରିବା, ନିର୍ମାଣ ସାମଗ୍ରୀ ଓ ଯନ୍ତ୍ରପାତି ଯୋଗାଡ କରିବା, ତାଳେଶ୍ବରରୁ କୋଟିତୀର୍ଥେଶ୍ବର ଯାଏ ଲିଙ୍କ ରୋଡ, ସାନଟୋରିୟମ ଛକରୁ ତାଳେଶ୍ବର ଯାଏ ବକ୍ସ ଡ୍ରେନ ଇତ୍ୟାଦି କାର୍ଯ୍ୟର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ ।

ସେହିପରି ଲିଙ୍ଗରାଜ ହାଟ ପଛପଟ ପୂର୍ବଦ୍ବାର ଛକର ଉଭୟ ପାର୍ଶ୍ବ ନିକଟରେ ଜନସୁବିଧା ବ୍ୟବସ୍ଥା ଓ ଦକ୍ଷିଣ ପଶ୍ଚିମ ପାର୍କିଂ ନିର୍ମାଣ କାର୍ଯ୍ୟ ସମାନ ସମୟରେ ଆରମ୍ଭ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ । ଗସ୍ତ ଅବସରରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଭିଭିକେ ଯାଦବ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଏମସି କମିଶନର, ଜିଲ୍ଲାପାଳ ପ୍ରମୁଖ ସାମିଲ ହୋଇଥିଲେ ।