କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କଲେ 5T ସଚିବ, ସ୍ମାର୍ଟ କ୍ଲାସ ରୁମରେ ପିଲାଙ୍କ ସହ କଲେ ବାର୍ତ୍ତାଳାପ

1 min read

କଟକ: ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀଙ୍କ ବିକାଶର ସୋପାନ । ଏହାର ଉନ୍ନତି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ କର୍ତ୍ତବ୍ୟ । ଶିକ୍ଷାର ବିପ୍ଳବରେ ସହଯୋଗ କରୁଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଛି ସୁବର୍ଣ୍ଣ ଅଧ୍ୟାୟ । ରୂପାନ୍ତରଣ ପ୍ରକ୍ରିୟାରେ ନୂଆ ରୂପ ପାଇଛି ବିଦ୍ୟାଳୟ । ତେବେ ସ୍କୁଲର ଉନ୍ନତି ପାଇଁ ଆଲୁମୁନିମାନେ ଗୋଟିଏ ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ଦୁଇହାତ ବଢ଼ାଇ ସହଯୋଗ ଯୋଗାଇଦେବେ । କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କରି ଏହା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ହାଇସ୍କୁଲ ପରିଦର୍ଶନ କରି ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଗକୁ ହେବାକୁ ଥିବା ମୋ ସ୍କୁଲର ନୂତନ ବିଲ୍ଡିଂ ଅର୍ଥ ଦେଇଥିବା ବେଳେ ଖେଳ ପଡ଼ିଆ ଉନ୍ନତିକରଣ ପାଇଁ ଆବଶ୍ୟକ ଅର୍ଥ ମୁଖ୍ୟମନ୍ତ୍ରୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସ୍କୁଲରେ ପହଞ୍ଚି ପ୍ରଥମେ ବାପୁଜୀ ଓ ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ 5T ସଚିବ । ସ୍କୁଲ ପ୍ରୋଜେକ୍ଟ ସମ୍ପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ତାଙ୍କୁ ମ୍ୟାପ୍ ଜରିଆରେ ଅବଗତ କରାଯାଇଥିଲା । ପରେ ସ୍ମାର୍ଟ କ୍ଲାସରୁମରେ ୧୦ ମିନିଟ୍ ଧରି ପିଲାଙ୍କ ସହିତ ବାର୍ତ୍ତାଳାପ କରିଥିଲେ । 5T ସମ୍ପର୍କରେ ବୁଝାଇବା ସହ ପିଲାଙ୍କ ସୁବିଧା ଅସୁବିଧା ଓ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ପିଲାଏ ବି 5T ସଚିବଙ୍କୁ ପାଖରେ ପାଇ ବେଶ ଉତ୍ସାହିତ ଥିଲେ । 5T ସଚିବଙ୍କ ଅଟୋଗ୍ରାଫ ନେଇଥିଲେ । ସେପଟେ ନିର୍ଦ୍ଦେଶ ମୁତାବକ ପ୍ରଶାସନ ମଧ୍ୟ ସ୍କୁଲର ଆବଶ୍ୟକତା ଗୁରୁତ୍ୱ ଦେବ କହିଥିଲେ ବୋଲି ଜିଲ୍ଲାପାଳ ।