ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ପ୍ରକଳ୍ପ କାର୍ଯ୍ୟକ୍ରମ

1 min read

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ହେବ। ୧୬ ଶହ ୭୭ କୋଟିରେ ନିର୍ମିତ ଏହି ପ୍ରକଳ୍ପ ୨୫ ହଜାର ୬ଶହ ହେକ୍ଟର ଜମିକୁ ସେଚ ଯୋଗାଇବ। ଏହାଦ୍ୱାରା ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ଚାଷୀମାନେ ଉପକୃତ ହେବେ । ଏହାଛଡ଼ା  ନୃସିଂହନାଥ ମନ୍ଦିର ପ୍ରକଳ୍ପ କାମ ଡିସେମ୍ବର ସୁଦ୍ଧା ସରିବ ବୋଲି ଧାର୍ଯ୍ୟ ଲକ୍ଷ୍ୟ ରହିଛି।

5T ସଚିବ ଭିକେ ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ବେଳେ ଏହି ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ସତ୍ୱେ ବରଗଡ଼ ଗସ୍ତରେ ଥାଇ ଶ୍ରୀ ପାଣ୍ଡିଆନ୍ ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ । ଜନସାଧାରଣଙ୍କୁ ସେ ସମ୍ବୋଧିତ କରି କହିଥିଲେ, ତୃଣମୂଳସ୍ତରର ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବ । ସପ୍ତାହକ ମଧ୍ୟରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ।

ଏହି ଗସ୍ତ ବେଳେ 5T ସଚିବ ନୃସିଂହନାଥ ମନ୍ଦିର ପ୍ରକଳ୍ପ, ଗଙ୍ଗାଧର ମେହେର ପ୍ରକଳ୍ପର ସମୀକ୍ଷା କରିବା ସହ ସୋହେଲାରେ ଏମସିଏଚ୍ କୋଠା କାମ ଅନୁଧ୍ୟାନ୍ କରିଥିଲେ । ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ହାଇସ୍କୁଲରେ ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଗସ୍ତ ବେଳେ ଶ୍ରୀ ପାଣ୍ଡିଆନ୍ ମା’ ଦୁର୍ଗା ମନ୍ଦିର, ଅଲେଖ ମହିମା ମନ୍ଦିର ଯାଇ ମନ୍ଦିର କମିଟି ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।