କୋଭିସିଲ୍ଡ ଟିକାକୁ ୧୬ ୟୁରୋପୀୟ ରାଷ୍ଟ୍ରର ସ୍ୱୀକୃତି: ଅଦର ପୁନାଓ୍ୱାଲା

1 min read

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାକୁ ମିଳିଲା ସ୍ୱୀକୃତି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଏବଂ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ଉତ୍ପାଦିତ କୋଭିସିଲ୍ଡ ଟିକାକୁ ବିଶ୍ୱ ଦରବାରରେ ସ୍ୱୀକୃତି ବଢ଼ିବାରେ ଲାଗିଛି ।  ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ର ମଧ୍ୟରୁ ୧୬ଟି ରାଷ୍ଟ୍ର ଏହାକୁ ସ୍ୱୀକୃତି ଦେଇଥିବା ସେରମ୍ ମୁଖ୍ୟ ଅଦର ପୁନାଓ୍ୱାଲା ସୂଚନା ଦେଇଛନ୍ତି । ୟୁରୋପୀୟ ସଂଘର ସଦସ୍ୟ ନଥିବା ସ୍ୱିଜରଲାଣ୍ଡ ମଧ୍ୟ ଅନ୍ୟତମ ୟୁରୋପୀୟ ଦେଶ ଭାବେ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଅର୍ଥାତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏସବୁ ଦେଶକୁ ଯିବା ପାଇଁ ଅନୁମତି ମିଳିବ । ତେଣୁ ଟିକାର ମାର୍କେଟିଂ ଅଥୋରାଇଜେସନ୍ ପାଇଁ ୟୁରୋପୀୟ ସଂଘକୁ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି ସେରମ୍ ମୁଖ୍ୟ କହିଛନ୍ତି । ଶେଷ ରାଷ୍ଟ୍ର ଭାବେ ଫ୍ରାନ୍ସ ମଧ୍ୟ ଶନିବାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ତେବେ କେବଳ ଇଟାଲୀ ଓ ଅନ୍ୟ କେତେକ ଦେଶ ଆଜି ଯାଏ ଏହି ଟିକାକୁ ଅନୁମତି ଦେଇନାହାନ୍ତି । କୋଭିଡ ଟିକାର ଜରୁରୀକାଳନୀ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପ୍ରସ୍ତୁତ କରିଥିବା ତାଲିକାରେ କୋଭିସିଲ୍ଡ ରହିଛି। ତେଣୁ ଏହାକୁ ଅନୁମତି ପ୍ରଦାନରେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ ଆଦାର ପୁନାୱାଲା । ଅନ୍ୟପକ୍ଷରେ କୋଭାକ୍ସିନ୍‌ର ଅନୁମତି ନେଇ ଅନିଶ୍ଚିତତା ଜାରି ରହିଛି । ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ରିପୋର୍ଟରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଏଯାଏଁ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇନାହିଁ । ଏଣୁ ବିଦେଶରେ ପାଠ ପଢ଼ିବାକୁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ସେଭଳି ଅସୁବିଧା ସମ୍ମୁଖୀନ ହେବେନାହିଁ । ତେବେ ଉଭୟ ଭ୍ୟାକ୍ସିନ୍ କରୋନା ମୁକାବିଲା ଦିଗରେ ଭଲ ପ୍ରଦର୍ଶନ କରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି  ।

ଏଥିସହିତ ପଢ଼ନ୍ତୁ: Tokyo Olympics: କ୍ରୀଡ଼ା ମହାକୁମ୍ଭରେ କରୋନାର ଛାପ: ଆଉ ୩ ଆଥ୍‌ଲେଟ ସଂକ୍ରମିତ ଚିହ୍ନଟ

Leave a Reply