ବୋରଓ୍ବେଲ ଟ୍ରାଜେଡି: ଜୀବନ ଯୁଦ୍ଧରେ ହାରିଗଲା ୬ ବର୍ଷର ଶିଶୁ ମୟଙ୍କ

ରଓ୍ବା: ଦୀର୍ଘ ୪୫ ଘଣ୍ଟାର ଅପରେସନ । ହେଲେ ବଞ୍ଚାଇ ହେଲାନି ୬ ବର୍ଷା ଶିଶୁ ମୟଙ୍କଙ୍କ ଜୀବନ । ମୃତ ଅବସ୍ଥାରେ ବୋରଓ୍ବେଲରୁ ମୟଙ୍କଙ୍କୁ କରାଗଲା ଉଦ୍ଧାର । ମଧ୍ୟପ୍ରଦେଶ ରେୱା ଜିଲ୍ଲାର ମାନିକା ଗାଁରେ ଥିବା ଏକ ମୁକୁଳା ବୋରୱେଲକୁ ଖସି ପଡିଥିଲା ମୟଙ୍କ । ଗତ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ଘଟିଥିଲା ଅଘଟଣ । ଖେଳିବା ବେଳେ ବୋରଓ୍ବେଲରେ ଖସି ପଡିଥିଲା ମୟଙ୍କ ।

ଏହାପରେ ମୟଙ୍କକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଦୀର୍ଘ ୪୫ ଘଣ୍ଟା ଧରି ଚାଲିଥିଲା ଅପରେସନ । ଶେଷରେ ଜୀବନ ଯୁଦ୍ଧ ହାରିଯାଇଛି ମୟଙ୍କ । ୭୦ ଫୁଟ ଗଭୀର ବୋରୱେଲରୁ ମୟଙ୍କକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶିଶୁକୁ ଉଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଥିଲା । ପିଲାକୁ ଉଦ୍ଧାର କରିବା ଲାଗି ସମାନ୍ତରାଳ ଭାବେ ଅନ୍ଯ ଏକ ଗର୍ତ୍ତ ଖୋଳାଯାଇଥିଲା । ୟୁପି ବାରାଣସୀରୁ ଏକ ରେସ୍କ୍ଯୁ ଟିମ ଆସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଶିଶୁର ଜୀବନ ବଞ୍ଚାଯାଇପାରିନାହିଁ । ଗତବର୍ଷ ଅଲିରାଜପୁର, ରାଜଗଡ, ବିଦିଶା ଓ ସିହୋର ଜିଲ୍ଲାରେ ବୋରୱେଲରେ ପଡି ୪ ଶିଶୁଙ୍କ ମୃତ୍ଯୁ ଘଟିଥିଲା ।