ଭୟଙ୍କର ହେବାରେ ଲାଗିଛି ସୁଦାନ ସଂଘର୍ଷ, ୫ ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ

1 min read

ଖାର୍ତୋମ: ଦୁଇ ମାସ ପରେ ବି ସୁଧୁରୁନି ସୁଦାନ ସମସ୍ୟା । ଭୟଙ୍କର ହେବାରେ ଲାଗିଛି ସଂଘର୍ଷ । ସୁଦାନ ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ଯରେ ସଂଘର୍ଷ ଜାରି ରହିଥିବାବେଳେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଖାର୍ତୋମର ଏକ ଅନାଥାଶ୍ରମରେ ଗତ ୫ ସପ୍ତାହ ମଧ୍ୟରେ ପ୍ରାୟ ୬୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଖାଦ୍ୟାଭାବ ଓ ଜ୍ବର କାରଣରୁ ଅନେକ ଶିଶୁଙ୍କ ମୃତ୍ୟୁ ଘଟୁଥିବା ଜଣାଯାଇଛି ।

ଅଲ-ମେକୋମା ଅନାଥାଶ୍ରମର ଏହି ଘଟଣା ଦେଶରେ ଯୁଦ୍ଧର ଭୟାବହତାକୁ ପରିପ୍ରକାଶ କରୁଛି । ଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ସ୍ଥାନରେ ଗୁଳିଗୋଳା ବିନିମୟ ତୀବ୍ର ଆକାର ଧାରଣ କରୁଥିବାବେଳେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିନାହିଁ । ଗତ ଏପ୍ରିଲ ୧୫ରୁ ଜେନେରାଲ ଆବଦେଲ ଫତାହ ବୁରହାନଙ୍କ ନେତୃତ୍ବାଧୀନ ସେନା ଓ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ନେତୃତ୍ବାଧୀନ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ସଂଘର୍ଷରେ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିବାବେଳେ ୧ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି । ହଜାର ହଜାର ଲୋକ ଆହତ ହେଲେଣି । ସାମରିକ ସଂଘର୍ଷ କାରଣରୁ ୧୬ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଘର ଛାଡି ଚାଲିଯିବା ସହ ଅନ୍ୟ ରାଷ୍ଟ୍ରକୁ ପଳାୟନ କଲେଣି । ୧୩ ଲକ୍ଷ ୬୦ ହଜାର ପିଲା ଅତି ସଂକଟଜନକ ସ୍ଥିତିରେ ରହିଛନ୍ତି ଏବଂ ସେମାନଙ୍କୁ ଜୁରୁରୀ ସହାୟତା ଆବଶ୍ୟକ ବୋଲି କହିଛି ୟୁନିସେଫ ।