ଗୋଟିଏ ପରିବାରର ୭ ଜଣ କଲେ ଆତ୍ମହତ୍ୟା

1 min read

ଗୁଜୁରାଟ : ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ସୂଚନା । ଏକାସାଙ୍ଗେ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଗୁଜୁରାଟର ସୁରଟରୁ ଆସିଛି ଏଭଳି ଦୁଃଖଦ ଖବର । ତେବେ ଏହି ୭ଜଣ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା ମିଳିଛି । ସୁରଟର ପଲନପୁର ଜାକତନକ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ବିଷଜନିତ ପ୍ରକ୍ରିୟାରୁ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୁହାଯାଉଛି କି, ପରିବାର ଲୋକେ ଋଣ କରିଥିବାବେଳେ ସୁଝି ପାରିନଥିଲେ ।

ଏହି କାରଣରୁ ପରିବାର ମୁଖ୍ୟ ଏଭଳି ଏକ କଠୋର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ମନୀଷ ସେଲାନକିଙ୍କ ପରିବାର ପାଲାନ ଅଂଚଳର ସିଦ୍ଧେଶ୍ବର ଆପାର୍ଟମେଣ୍ଟ ସି-୨ ବିଲ୍ଡିଂରେ ରହୁଥିଲେ । ଦୀର୍ଘଦିନ ଧରି ଏହି ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପଡ଼ୋଶୀମାନେ କହିଛନ୍ତି । ବ୍ୟବସାୟ ପାଇଁ ଏକ ବଡ଼ ଋଣ କରିଥିଲେ । ଯାହାକି କ୍ଷିୀ ହେବା ପରେ ଚିନ୍ତାରେ ରହିଥିଲେ । ଲୋକଙ୍କଠାରୁ ଆଣିଥିବା ଟଙ୍କା ଫେରସ୍ତ କରିବା ପାଇଁ ଫ୍ଲାଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ଶେଷ ସମୟରେ ଏହା ମଧ୍ୟ ହୋଇ ପାରିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ।

ଗୁଜରାଟ ସୁରଟରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା । ସୁରଟର ପଲନପୁର ଜାକତନକ ଅଞ୍ଚଳରେ ଘଟିଛି ଅଘଟଣ । ବିଷଜନିତ ପ୍ରକ୍ରିୟାରୁ ୬ଜଣକ ମୃତ୍ୟୁ ଘଟିଥିବାବେଳେ ଫାଶୀ ଲଗାଇ ଜଣକର ମୃତ୍ୟୁ ଘଟିଥିବା ଜଣାଯାଇଛି । ପୋଲିସ ତଦନ୍ତରୁ ଜଣାଯାଇଛି ବିଷଜନିତ ପ୍ରକ୍ରିୟାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମୃତକମାନେ ହେଲେ ମନୀଷ ସୋଲାଙ୍କି, ପତ୍ନୀ ରୀତା ସୋଲାଙ୍କି, ବାପା କାନୁ, ମା ଶୋଭା, ତିନିସନ୍ତାନ ଦିଶା, କାବ୍ୟା ଓ କୁଶଳ । ମନୀଷ ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତଦନ୍ତ ପରେ ପୋଲିସ ମନୀଷଙ୍କ ଏକ ସୁଇସାଇଡ ନୋଟ ଜବତ କରିଛି । ଆର୍ଥିକ ସଂକଟ କାରଣରୁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମନୀଷ ଦର୍ଶାଇଥିବା ଜଣାଯାଇଛି ।

ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ମନୀଷଙ୍କ ଫର୍ଣ୍ଣିଚର ବିଜନେସ ଥିଲା ଏବଂ ତାଙ୍କ ନିକଟରେ ୩୫ ଜଣ କର୍ମଚାରୀ କାମ କରୁଥିଲେ । ଗତକାଲି କେତେକ କର୍ମଚାରୀ ମନୀଷଙ୍କୁ ଫୋନ କରିଥିଲେ । ମାତ୍ର ପ୍ରତ୍ୟୁତ୍ତର ନ ମିଳିବାରୁ ସେମାନେ ଘରକୁ ଆସି ଦେଖନ୍ତି ସାରା ପରିବାର ଚିରଦିନ ଲାଗି ଆଖିବୁଜିଛନ୍ତି । ଶବଗୁଡିକର ପୋଷ୍ଟମର୍ଟମ ଲାଗି ପୋଲିସ ପଠାଇଛି ।