କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

କରୋନାର ବଢୁଛି କରାଳ ରୂପ । ସାଂଘାତିକ ଭାଇରସର ଡେଞ୍ଜର ଜୋନରେ ରହିଛି ୮ଟି ଦେଶ । ରାତାରାତି ବଢିଚାଲିଛି କରୋନା ଭାଇରସର ଆତଙ୍କ । ଡେଇଁ ଚାଲିଛି ଗୋଟିଏ ପରେ ଗୋଟିଏ ଦେଶ   । ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ୧୨ଶହରୁ ଅଧିକ ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଚୀନରୁ ଥାଇଲାଣ୍ଡ, ଆମେରିକା, ତାଇଓ୍ୱାନ, ଭିଏତନାମ୍‌, ସିଙ୍ଗାପୁର ପରେ ଏବେ ଇଉରୋପରେ ନିଜର କାୟା ବିସ୍ତାର କଲାଣି ।

ଭାରତରେ ଏହାର ପ୍ରଭାବ ମଧ୍ୟ ଗମ୍ଭୀର ହେଲାଣି । ବିଶେଷ କରି କେରଳରେ ଏହି ଭାଇରସର ଶୀକାର ୮ ଜଣ ଲୋକଙ୍କୁ ଚିହ୍ନଟ କରାଗଲାଣି । ଚୀନରେ କରୋନା ବ୍ୟାପିବା ଭୟରେ ସେମାନେ ଭାରତକୁ ଫେରିଆସିଥିବା ବେଳେ ଡାକ୍ତରୀ ଯାଞ୍ଚରେ ସେମାନଙ୍କ ଶରୀରରେ ଭାଇରସ ଥିବା ଜଣାପଡ଼ିଛି । ସେମାନଙ୍କୁ କେରଳର ବିଭିନ୍ନ ଡାକ୍ତରଖାନାର ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯାଇଛି ।

ଭାରତର ବିଭିନ୍ନ ବିମାନବନ୍ଦରରେ ଭାଇରସ ଚିହ୍ନଟ ପାଇଁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଚୀନରେ ଥିବା ଆମେରିକୀୟ ମାନଙ୍କୁ ଆଜି ଏକ ସ୍ୱତନ୍ତ୍ର ବିମାନରେ ଆମେରିକା ଫେରାଇ ନେଇଛି । ଏପଟେ ବେଜିଂରେ ଭାଇରସ ବ୍ୟାପିବା ଆଶଙ୍କାରେ ଭାରତୀୟ ମାନଙ୍କୁ ସତର୍କ ରହିବାକୁ ଦୁତାବାସ ତରଫରୁ କୁହାଯାଇଛି ।

Leave a Reply