ହିମାଚଳ ଭୂସ୍ଖଳନରେ ମାଟିରେ ପୋତି ହୋଇଗଲା ଶିବ ମନ୍ଦିର, ମାଟି ତଳେ ୫୦ କାଉଡ଼ିଆ

1 min read

ଶିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ । ଭୂସ୍ଖଳନ ଯୋଗୁ ଶିମଲାର ଏକ ଶିବ ମନ୍ଦିର ଧସି ୯ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୨୦ରୁ ୨୫ଜଣ ଫସିରହିଥିବା ଆଶଙ୍କା କରାଯାଉଛି । ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ NDRF ଓ SDRF ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ସେହିପରି ସୋଲାନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଫସିରହିଥିବା ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ହୋଇଥିବା ବର୍ଷା ଯୋଗୁ ସାରା ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ପ୍ରବଳ ବର୍ଷା ପରେ ସବୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଅତ୍ୟଧିକ ପ୍ରଭାବିତ ହୋଇଛି । ଭୂସ୍ଖଳନ ଯୋଗୁ ରାଜ୍ୟର ୬୨୧ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ମଣ୍ଡି ଜିଲ୍ଲାରେ ସର୍ବାଧିକ ୨୩୬ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସିମଲା-ଚଣ୍ଡିଗଡ଼ ହାଇଓ୍ବେରେ ମଧ୍ୟ ଗତ ଦୁଇ ସପ୍ତାହ ଧରି ଗାଡ଼ିମୋଟର ଚଳାଚଳ ପ୍ରବାଭିତ ହୋଇଛି । ହାମିରପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ ବନ୍ୟା ଯୋଗୁ ଅତିମାତ୍ରାରେ ପ୍ରଭାବିତ ହୋଇଛି । ନଦୀ କୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜୁନ ୨୪ରୁ ହିମାଚଳ ପ୍ରଦେଶରେ ବର୍ଷା, ବନ୍ୟାଜନିତ ସ୍ଥିତି ଲାଗି ରହିଛି ।

ଏବେସୁଦ୍ଧା ୨୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ୭ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଘଟିଛି । ଆସନ୍ତା ତିନି ଦିନ ଲାଗି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ବି ବର୍ଷା ସହ ଭୁସ୍ଖଳନ ସ୍ଥିତି ଲାଗି ରହିଛି । ଏକାଧିକ ରାଜପଥ ସହ ସବ୍-ଓ୍ବେରେ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଋଷିକେଶ-ଦେବପ୍ରୟାଗ-ଶ୍ରୀନଗର ହାଇଓ୍ବେର ସଖନିଧାରଠାରେ ଅନେକ ଗାଡ଼ିମୋଟର ଅଟକି ରହିଛି । ଭୂସ୍ଖଳନ ଯୋଗୁ କେଦାରନାଥ ପୀଠକୁ ଯିବା ରସ୍ତା ଜାମ୍ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଫସିରହିଛନ୍ତି । ରେସ୍କ୍ୟୁ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ହରିଦ୍ବାର ନିକଟରେ ଗଙ୍ଗା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ।