ସୁସ୍ଥ ହୋଇ ଫେରିଥିବା ଲୋକ ପୁଣି କରୋନାର ଶିକାର,ସଂକ୍ରମିତଙ୍କ ଭିତରେ ଶୋଇ ରହୁଛି କରୋନା !

ସିଓଲ: କରୋନା ସଂକଟକୁ ନେଇ ପୁରା ଦୁନିଆରେ ଆତଙ୍କ ବ୍ୟାପିଥିବା ବେଳେ ଆଉ ଗୋଟିଏ ଘଟଣା ଚିନ୍ତାକୁ ହଜାର ଗୁଣ ବଢାଇ ଦେଇଛି । ଦକ୍ଷିଣ କୋରିଆରୁ ଆସୁଥିବା ଖବର ଅନୁସାରେ କରୋନା କବଳରୁ ମୁକୁଳିଥିବା ବ୍ୟକ୍ତିମାନେ ପୁଣିଥରେ ଏହାର ଶିକାର ହେଉଛନ୍ତି । ଦକ୍ଷିଣ କୋରିଆ ଅନୁସାରେ ଏଭଳି ୯୧ ଜଣ ବ୍ୟକ୍ତିଙ୍କଠାରେ ପୁଣିଥରେ କରୋନା ଭୂତାଣୁ ମିଳିଛି ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

କୋରିଆନ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍(କେସିଡିସି) ଅନୁସାରେ ଏହି ସଂକ୍ରମିତ ମାନେ ପୁନଃସଂକ୍ରମଣର ଶିକାର ହୋଇ ନାହାନ୍ତି  ବଂର ସେମାନଙ୍କ ଭିତରେ କରୋନା ଭୂତାଣୁ ପୁଣିଥରେ ସକ୍ରିୟ ହୋଇଛି ।

ଏହି ୯୧ ଜଣ ପୁନଃକରୋନା ସଂକ୍ରମିତ ହେବାର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଦକ୍ଷିଣ କୋରିଆ କହିଛି ।

କଣ ପାଇଁ ଏହା ବଡ ବିପଦ?

ଦକ୍ଷିଣ କୋରିଆରେ ଭଲ ହୋଇଥିବା କରୋନା ସଂକ୍ରମିତ ପୁଣିଥରେ କରୋନା ଶିକାର ହେବାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ସୃଷ୍ଟି ହୋଇଛି । କାରଣ ଆଗରୁ ବୈଜ୍ଞାନିକଙ୍କ ଧାରଣା ଥିଲା ଯେ, କରୋନା ଦ୍ୱାରା ଥରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ ଓ ସେମାନେ ପୁଣିଥରେ କରୋନା ଦ୍ୱାରା ସଂକ୍ରମିତ ହେବେ ନାହିଁ । କିନ୍ତୁ ଦକ୍ଷିଣ କୋରିଆ ଘଟଣା ଏବେ ସେହି ଆଶା ଉପରେ ପାଣି ପକାଇ ଦେଇଛି ।

୭ହଜାର କରୋନା ସଂକ୍ରମିତ ଭଲ ହୋଇଥିଲେ

ଦକ୍ଷିଣ କୋରିଆରେ ୭ ହଜାର ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ ୯୧ ଜଣ ପୁଣି ଏହାର ଶିକାର ହୋଇଛନ୍ତି । ତେଣୁ ଦକ୍ଷିଣ କୋରିଆ ଭାବୁଛି ଯେ, ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ପୁଣିଥରେ ସଂକ୍ରମଣ ହୋଇପାରେ । ଏହି ୯୧ ସଂଖ୍ୟା ଆଗକୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

 

Leave a Reply