spot_img

Latest Posts

ଟ୍ରମ୍ପ ଅଗ୍ରାହ୍ୟ କରିଥିବା ପ୍ୟାରିସ ରାଜିନାମାକୁ ଗ୍ରହଣ କଲେ ଜୋ ବାଇଡେନ

ଓ୍ବାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ନେତୃତ୍ବ ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବକୁ ରୋକିବା ଲାଗି ପ୍ରତିବଦ୍ଧତା ଜଣାଇଛନ୍ତି। ଏ ଦିଗରେ ସର୍ବୋଚ୍ଚ ଅନ୍ତର୍ଜାତୀୟ ରାଜିନାମା ଯାହା ପ୍ୟାରିସ ରାଜିନାମା ନାମରେ ପରିଚିତ ତାହାକୁ ପୁଣିଥରେ ଗ୍ରହଣ କରିଛି। ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ପ୍ରଥମ କାର୍ଯ୍ୟ ଦିବସରେ ପ୍ୟାରିସ୍ ଚୁକ୍ତିନାମାରେ ପୁଣିଥରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଏହି ଚୁକ୍ତିରୁ ଓହରିଥିଲା।

 

ପ୍ୟାରିସ ରାଜିନାମା ଅନୁସାରେ ସଦସ୍ୟ ଥିବା ରାଷ୍ଟ୍ରମାନେ ବିଶ୍ବତାପନକୁ ଦୁଇ ଡିଗ୍ରୀ ଭିତରେ ସୀମିତ ରଖିବା ଲାଗି ଚୁକ୍ତି ବଦ୍ଧ। ୨୦୧୫ ମସିହାର ଏହି ରାଜିନାମାରେ ବିଶ୍ବର ୧୯୫ ଦେଶ ସ୍ବାକ୍ଷର କରିଛନ୍ତି। ଆମେରିକା ଏହି ଚୁକ୍ତିରେ ଅନ୍ୟତମ ସ୍ବାକ୍ଷରକାରୀ ଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କ ସମୟରେ ଏହି ଚୁକ୍ତିରୁ ଓହରି ଥିଲା। ଏହାକୁ ନେଇ ସାରା ବିଶ୍ବରେ ଚର୍ଚା ହୋଇଥିଲା।

ବାଇଡେନ୍ ନିଜ ଆଦେଶରେ କହିଛନ୍ତି, `ଆମେ ଜଳବାୟୁ ପରିବର୍ତ୍ତନକୁ ଏପରି ଭାବେ ମାତ୍ ଦେବାକୁ ଉଦ୍ୟମ କରିବୁ ଯେମିତି ପୂର୍ବରୁ କେବେ ହୋଇ ନଥିଲା। ଯୁକ୍ତରାଷ୍ର ଆମେରିକା ପକ୍ଷରୁ ଏହି ଚୁକ୍ତିର ପ୍ରତିଟି ଧାରା ଗ୍ରହଣ କରିବା ଲାଗି ପ୍ରତିବଦ୍ଧତା ଜଣାଉଛି।‘ ଯୁକ୍ତରାଷ୍ଟ୍ର ଆମେରିକା ଏବେ ବିଶ୍ବର ସର୍ବାଧିକ ଓଜନ୍ ସ୍ତରକୁ ହାନୀ ପହଞ୍ଚାଉଥିବା ଗ୍ରୀନ ହାଉସ୍ ଗ୍ୟାସ ନିର୍ଗତ କରାଉଛି। ଏହି ପରିପ୍ରେକ୍ଷୀରେ ବାଇଡେନଙ୍କ ଏହି ଆଦେଶ ବିଶ୍ବ ତାପନକୁ ନିୟନ୍ତ୍ରଣ ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ରୋକିବା ଦିଗରେ ପ୍ରତିବଦ୍ଧତାକୁ ବୟାନ କରୁଛି ବୋଲି ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ଜେନ୍ ସାକି କହିଛନ୍ତି।

Latest Posts

Don't Miss