ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ତୀବ୍ର ହେଉଛି ଆନ୍ଦୋଳନ। ପ୍ରତିବାଦରେ ଆଜି ସାରା ଦେଶରେ ଆରମ୍ଭ ହୋଇଯାଇଛି ଚକାଜାମ୍। କୃଷକ ସଙ୍ଗଠନ ଆଜି ଦିନ ୧୨ଟାରୁ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଯାହାର ପ୍ରଭାବ ସାରା ଦେଶର ବିଭିନ୍ନ କୋଣରେ ଦେଖିବାକୁ ମିଳିଛି, ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଚକା ଜାମକୁ ଡକାଯାଇଛି। ତେବେ ୧୨ଟାବେଳୁ ଏହାର ପ୍ରଭାବ ଦେଖିବାକୁମିଳିଛି। ଚାଷୀମାନେ ରାସ୍ତା ଅବରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଚକ୍କା ଜାମକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ଭିତରେ ଏବଂ ସୀମାନ୍ତରେ ପ୍ରାୟ ୫୦ ଯବାନ ନିୟୋଜିତ ହୋଇଛନ୍ତି।
ଯାହା ଦ୍ୱାରା ଜାନୁଆରୀ ୨୬ ପରି ପରିସ୍ଥିତି ଉପୁଜିବ ନାହିଁ।
ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ଚକାଜାମ୍ ଡାକରା ଦିଆଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଚକା ଜାମ ଡକାଯାଇଛି। ଏହି ସମୟରେ ଲୋକଙ୍କୁ କୃଷି ଆଇନ ସମ୍ପର୍କରେ ଚାଷୀ ଅବଗତ କରାଇବେ। ଏହା ପରେ ଚାଷୀମାନେ ଜିଲ୍ଲା ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇବେ। ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକାଜାମ୍ ହେବନି ବୋଲି ଚାଷୀ ସଂଗଠନ କହିଛନ୍ତି।

